ଅନୁରୋଧ
ଅନୁରୋଧ


ରଖିଥିବୁ ମୋତେ
ସ୍ମୃତି ଫରୁଆରେ
ହୃଦୟେ ନହେଲେ ନାହିଁ
ଏକାନ୍ତରେ ଯେବେ
ଖୋଜିବୁ ତୁ ମୋତେ
କବରୁ ଉଠିବି ଚେଇଁ ।
ମନ ଯଦି ଖୋଜେ
ମୋ ଠିକଣା କେବେ
ହୃଦୟକୁ ପଚାରିବୁ
ଜହ୍ନ ଦେହେ ଲେଖା
ତୋ ସାଥେ ସମ୍ପର୍କ
ଖୋଜି ମୋତେ ପାଇଯିବୁ ।
ହଜିବିନି କେବେ
ଖୋଜିବୁ ଯଦି ତୁ
ଆଖି ପଲକରେ ଥିବି
ରାତି ଆସିଗଲେ
ମଧୁର ପରଶେ
ସ୍ବପ୍ନ ଟିଏ ସାଜିଯିବି ।
ଢାଳିବୁନି ଲୁହ
ମୋ ପାଇଁ କେବେ ତୁ
ଲୁହ ସାଥେ ଯିବି ଝରି
ପବନରେ ଥିବି
ତୋତେ ଛୁଇଁଜିବି
ଅନ୍ତରଙ୍ଗ ଭାବ ଭାରି ।
ଦେହ ସିନା ମରେ
ଜୁଇରେ ଚଢିଲେ
ଆତ୍ମା ଅମର ସର୍ବଦା
ଦେହ ସିନା ଭିନ୍ନ
ହୃଦୟ ସ୍ପନ୍ଦନ
କାହ୍ନୁ ବିନା ରାଇ ଅଧା ।