ଅନୁଭବ
ଅନୁଭବ
ପ୍ରତ୍ୟେକ ଜୀବନେ ଦୁଃଖ କଷ୍ଟ ଥାଏ
ଥାଏ ଅନୁଭବ କେତେ
ସେଇ ଅନୁଭବ ଚିରସ୍ମରଣୀୟ
ଅଲିଭା ସାକ୍ଷର ସତେ ।
ଭୁଲି ହୁଏନାହିଁ ସେଇ ଅନୁଭୂତି
ହୃଦୟେ ରହଇ ଲେଖା
ଡେଇଁ ଯାଏ ନାହିଁ ଏଇ ପାଦ ଦୁଇ
ତା'ର ସେଇ ସୀମା ରେଖା ।
ଦୁଃଖ ସୁଖ ହେଉ ଅବା ସେ ଯନ୍ତ୍ରଣା
ଜୁଇର ତତଲା ନିଆଁ
ଜଳି ଯାଇଥାଉ ସବୁ ତା'ର ଆଶା
ତଥାପି ବାହାରେ ଧୂଆଁ ।
ସେଇ ତ ଧୂଆଁର ତତଲା ପାଉଁଶେ
ଭରିଥାଏ ଅନୁଭୂତି
ସେଇ ଅନୁଭୂତି ଏମିତି ଗୋଟିଏ
କେବେବି ହୁଏନା ଇତି ।
ଅନୁଭବ ଆଣେ ଜୀବନେ ସଂସ୍କାର
ଦେଖାଏ ସେ ଭଲ ବାଟ
ଶିଖି ଯେ ପାରେନା ହାରିଯାଏ ସିଏ
ଅବାଟରେ ଛଟପଟ ।
କହିବା ଶୁଣିବା ଦେଖିବା ଛୁଇଁବା
ଠାରୁ ଅନୁଭବ ବଡ
ସେଇ ଅନୁଭବ କେବେ ତ ଫଗୁଣ
କେବେ ତୋଫାନର ଝଡ ।
ଅନୁଭବୀ ଯିଏ ଜାଣି ପାରେ ସିନା
ଅନୁଭବର ସେ ଗାଥା
କଥାକାର କାହୁଁ ଜାଣିବା ପାରିବ
ଦରଦୀ ମନର ବ୍ୟଥା ।
ଯେତେ ଭଲକଥା ଯିଏ କହୁ ପଛେ
କାନେ ବା ଶୁଣିବ କିଏ
ନିଜେ ଅନୁଭବ କଲେ ସିନା ଯାଇ
ଉଦ୍ଦେଶ୍ୟଟି ଜାଣିହୁଏ ।
ଭଦ୍ରମୁଖା ତଳେ ଅସଭ୍ୟ ସମାଜ
ମୁଣ୍ଡ ଏବେ ନଇଁ ଯାଏ
କଥା କୁହା ଏକ କପିଳା ସାଜିଣ
ଭଣ୍ଡାମି ଶୋଷଣ ହୁଏ ।
ସତ୍ୟ ଏଠି କମ୍ ଧୋକା ଥାଏ ବେଶୀ
ଅସତ୍ୟ କରଇ ଘର
ଅନୁଭବ ଯଦି କରି ନ ପାରୁଛ
ନିଜକୁ ଥରେ ପଚାର ।
ପ୍ରକୃତି ସୌନ୍ଦର୍ଯ୍ଯ ହେଲାଣି ବିକୃତ
କିଏବା ହୋଇବ ଦାୟୀ
ଅସତ୍ୟ ଦେଖାଇ ଏଇତ ମାନବ
ବୋଲାଏ ନିଜକୁ ଜୟୀ ।
କାହା କଥା ପରେ ଭାସି ନ ଯାଇଣ
ନିଜେ ଅନୁଭବ କର
ଭଲ ମନ୍ଦ ନିଜେ ଆପେ ଜାଣି ନେବ
ନଥିବ କାହାକୁ ଡର ।
ଅନୁଭବ ଭଲ ହୋଇଯିବ ଯେବେ
ଲେଖନୀ ଚାଲିବ ଭଲ
ଦୋଛକି ମଝିରେ ରହିଯିବ ଯେବେ
ସେଇଠି ଯେ ତୁମେ ଗଲ ।
ଅନୁଭବ ନୁହେଁ ଛୋଟିଆ ଜିନିଷ
ଅଗାଧ ସମୁଦ୍ର ସିଏ
ଜନମରୁ ମୃତ୍ୟୁ ପ୍ରତିଟି ସ୍ତରରେ
ମୁକସାକ୍ଷୀ ଟିଏ ଇଏ ।
ଯିଏ ଯେତେ ଅନୁଭବ କରିଥାଏ
ସେତିକି ଆଗକୁ ଯାଏ
ଏଇ ଅନୁଭୂତି ଖୋଲିଦିଏ ଆଖି
ଜୀବନ ମାର୍ଜିତ ହୁଏ ।
