ଅନ୍ତର୍ଦାହ
ଅନ୍ତର୍ଦାହ


ସୂରୁଜ ବୁଡିଲେ ଦିନ ସରିଯାଏ
ଆକାଶେ ଉଠଇ ଜହ୍ନ ,
କଡ଼ ଲେଉଟାଏ ଗୋଟିଏ ଦିନର
ଆୟୁଷର ସଙ୍କୀର୍ତ୍ତନ ।
କ୍ଳାନ୍ତ ଗୋଧୂଳିରେ ପଥ ଚାଲୁ ଚାଲୁ
ଗଡ଼ିଲାଣି ସଞ୍ଜ ବେଳ ,
ପିଠିର ବୋଝରେ ଅଣ୍ଟା ନଇଁଲାଣି
ଏଇତ ଜୀବନ ଖେଳ ।
ଖୋଜିନାହିଁ କେବେ ସୁଶୀତଳ ଛାଇ
ଭିଜା ଘାସର ଗାଲିଚା ,
ଅବା ବସ୍ନାୟୀତ ବିଳାସ କୋଠରୀ
ମଖମଲୀ ଗଦି ଶଯ୍ୟା ।
ଦ୍ଵିକୂଳ ନାଆର ନାଉରୀଟିଏ ମୁଁ
ବିଚିତ୍ର ଜୀବନ କଳା ,
ବେଳାଭୂମି ତଟ ନାଉରୀକୁ ଦେଖି
ହସିଲାଣି ବାଲି ମେଳା ।<
/p>
ପାଚିଲା ମହୁଲ ରସ ପରି ମୁହିଁ
ନିଗାଡ଼ି ଦେଇଛି ରସ ,
ସେ ମିଠା ରସକୁ ବାଣ୍ଟି ଦେଇ ମୁଁ' ଯେ
କାଟିଅଛି ବର୍ଷ ମାସ ।
ଆବେଗରେ ଆଜି ବନ୍ଧା ପଡ଼ିଅଛି
ମିଛ ମାନ , ଅଭିମାନ ,
ସମୟ ଢେ଼ଉରେ ମଳିନ ପଡ଼ିଛି
ନୂଆ ପ୍ରତ୍ୟାଶା , ଆହ୍ବାନ ।
ଜଳା ଦୀପାଳି ମୁଁ' ଅଧା ଜଳିଲିଣି
ଆଉ ଅଧା ଅଛି ବାକି ,
ଇଙ୍ଗିତର ଦାସ ଇଙ୍ଗିତରେ ପରା
ଜଳୁଛି ମୁଁ' ଦିକି ଦିକି ।