ଅଂଶୁଘାତର ପ୍ରତିକାର
ଅଂଶୁଘାତର ପ୍ରତିକାର
ମଉସା ମାଉସୀ ସଭିଙ୍କୁ
ମୋର ରହିଲା ରାଣ
ପ୍ରତିକାର ଅଂଶୁଘାତର
କାମେ ଲାଗିବ ଜାଣ।
ଦିନ ବଡ଼ ହୁଏ ଗ୍ରୀଷ୍ମରେ
ହୁଏ ପ୍ରଚଣ୍ଡ ଖରା
ସୂରୁଜ ହୁଅନ୍ତି ନିକଟ
ଶୁଷ୍କ ହୁଅଇ ଧରା ।
ଶୁଖିଯାଏ ଜାଣ ଖରାରେ
ଖାଲ କେନାଲ ନଈ
ପାଣି ଟୋପେ ପାଇଁ ବୁଲନ୍ତି
ଶୋଷେ ବଳଦ ଗାଈ ।
ପ୍ରଖର ଖରାରେ ହୁଅଇ
ଅତ୍ୟଧିକ ଗରମ
ଅଧିକ ଖରାରେ କରନି
କେବେ କଠିନ କାମ ।
ଖାଲି ପାଦେ କେବେ ନଯାଅ
ପାଦେ ପିନ୍ଧ ଚପଲ
ସାଙ୍ଗେ ନିଅ ପାଣି ବୋତଲ
ଦେହ ରହିବ ଭଲ।
ଯଦି ତୁମେ ରଖ ମସ୍ତକେ
ଓଦା ଗାମୁଛା, ଟୋପି
ଭୟେ ଖରା ଯିବ ଦୂରେଇ
ଛୁଇଁବନି କଦାପି ।
ସାଙ୍ଗେ ନିଅ ଛତା ସର୍ବଦା
କେବେ ନଯାଅ ଛାଡ଼ି
ଶୋଷ ହେଲେ ତୁମେ ଚୋବାଅ
ତରଭୁଜ, କାକୁଡି ।
ଖରାଦିନେ ପିନ୍ଧ ସର୍ବଦା
ଦେହେ ହୁଗୁଳା ଜାମା
ବାହାରକୁ ଗଲେ ଖରାରେ
ପିନ୍ଧ କଳା ଚଷମା ।
ମୁଣ୍ଡ ବୁଲାଇବ ଖରାରେ
ଚଢ଼ନାହିଁ ପର୍ବତ
ବାହାରୁ ଆସିଲେ ଘରକୁ
ପିଅ ଲେମ୍ବୁ ସର୍ବତ ।
କୋଠାଟିଣ ଘର ଉପରେ
ଢାଳ ନିଇତି ପାଣି
ଖରାଦିନେ ପିଅ ପ୍ରଚୁର
ଘୋଳଦହି, ତୋରାଣୀ ।
ବରଫ ବୋଳନା କଦାପି
ଅଂଶୁଘାତ ରୋଗୀଙ୍କୁ
ଶୀଘ୍ରକର ନେବା ବ୍ୟବସ୍ଥା
ଡାକ୍ତରଙ୍କ ପାଖକୁ ।
ପଥିକଟି ଶୋଇ ପଡ଼ଇ
ଥିଲେ ବୃକ୍ଷର ଛାଇ
ଜଳଛତ୍ର କର ବାଟରେ
ମୋର ଭଉଣୀ ଭାଇ ।
ଧ୍ୟାନ ଦିଅ ଏହି କଥାରେ
ଭୁଲି ନଯାଅ ଜାଣି
ଅଂଶୁଘାତ ଯିବ ଦୂରେଇ
ମନେରଖ ମୋ ବାଣୀ ।