କବିତା - ଅନନ୍ତ କାଳୁ ଅପେକ୍ଷମାଣ
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୮-୨୦୨୫
କ୍ଷଣ କ୍ଷଣକେ ଆନ ମୁହୁର୍ତ୍ତ ସବୁ
ଅନନ୍ତ କାଳୁ ଅପେକ୍ଷମାଣ
ଝାପସା ଝାପସା ଲାଗୁଥାଏ
ପତଳା କୁହୁଡି ପରି କ୍ଷୀଣ ରୁଗଣ
ମାତ୍ର କିମିଆଁ କରିଲା ପରି
ମନେ ପଡିଗଲେ ତତକ୍ଷଣ
ସ୍କୃତି ଝରକା ଲାଗେ ରୂପାଜହ୍ନ
ପୂର୍ଣ୍ଣତାରେ ଭରି ଉଠେ ମନ ଉପବନ
ସୁନେଲି ରୂପେଲି ମୁରୁକି ହସ ତଳେ
ଲୁଚିଥିବା ଲାଜୁଆ ଯୌବନ
କଡ଼ ଲେଉଟାଏ ଛଇ ଛଟକ
ପ୍ରଭାବିତ ବେପଥୁ କମ୍ପନ
ତାଳୁରୁ ତଳିବା ବେଗବତୀ ନଈ ପରି
ଧାଉଁଥାଏ ଛମ୍ ଛମ ଛଳଛଳ ଛନଛନ
ଆଉ ସେହି ଅପେକ୍ଷାର ଶୁଭ ସମୟ ଆସିଗଲେ
ମନକୁ ଘୋଡେଇ ମୋଡ଼େଇ ବସିଗଲେ
ମଣିଷର ଭିତର ସତ୍ତ୍ଵାକୁ ସଂକ୍ରମିତ କରି ଗଲେ
ଭାବନାରୁ ଅଙ୍କୁରେ ଗଜୁରେ ଦୁଇ ପତ୍ର ସଞ୍ଚରେ
ତୁଣ୍ଡ ଭିତର ଦେଇ ମୁଣ୍ଡରେ ପ୍ରସରେ
ପୁଣି ଆତ୍ମା ଦ୍ୱାର ଦେଇ
ଡଙ୍କେଇ ବଙ୍କେଇ ଚକାଭଉଁରୀ ଘୁରେ
ଅପେକ୍ଷାର ମର୍ମାନୁଭବ ହିଁ ନୀରବ ପ୍ରସାଦ
ନିସ୍ବାର୍ଥପର ହିସାବ ସାଥେ ସାଥେ
ମିଳିଯାଏ ଶାନ୍ତିସ୍ତୁପର ମହାପ୍ରସାଦ
ବୁଝି ହୁଏନା କି ବୁଝେଇ ହୁଏନା
ଶର୍ଦ୍ଧାର୍ଥର ଚାଟୁଳ ପଦ ଛନ୍ଦର ଛଳେ କବଳେ
କେବଳ ବୃଥା ଚର୍ବିତ ଚର୍ବଣ ଅପ୍ରମାଦ
ଆଉ ଅପେକ୍ଷା ପ୍ରତୀକ୍ଷାର ହୁଏ ଅନ୍ତ
ଆଣେ ଅମୃତ ଅନୁଭବ ଜୀବନ୍ତ
ଶାନ୍ତ କାନ୍ତ କମନୀୟ ମୁଁହ ଦିଶେ ପ୍ରଶାନ୍ତ
ପବିତ୍ରମୟ ଖୁସିଫୁଲ ଫୁଟିଥାଏ
ଆଖ ପାଖ ବିନ୍ଦୁ ବଳୟ
ଝଲକି ଉଠେ ମହିମାମଣ୍ଡିତ ଶୋଭାବନ୍ତ
ଭାବି ଦେଖ
ରାଧାରାଣୀର ବିରହପ୍ରେମ ପ୍ରତୀକ୍ଷା କହ୍ନେଇ ପାଇଁ
ମାତା ଯଶୋଦାର ସ୍ନେହରଙ୍କୁଣ ପ୍ରତୀକ୍ଷା ପୁଅ କଳାକାହ୍ନୁ ପାଇଁ
ଯାଜ୍ଞସେନୀର ରକ୍ତ ପ୍ରତୀକ୍ଷା ବେଶୀ ବନ୍ଧନ ପାଇଁ
ସତୀ ଅହଲ୍ୟାର ପାଷାଣୀ ପ୍ରତୀକ୍ଷା ଦଶରଥ ନନ୍ଦନ ପାଇଁ
ଶବରୀର ଆଜନ୍ମ ପ୍ରତୀକ୍ଷା ଅଇଁଠା କୋଳି ରାମ ଲକ୍ଷ୍ମଣଙ୍କୁ ଖୋଇବା ପାଇଁ
ଯକ୍ଷକନ୍ୟା ପାର୍ବତୀର ପୂଜା ପ୍ରତୀକ୍ଷା କୈଳାଶ ପତି ପାଇଁ
ଗୃହିଣୀ ଘରଣୀର ଦଶହରା ପ୍ରତୀକ୍ଷା ବେଦଶାଗତ ପ୍ରାଣନାଥ ପାଇଁ
ଯୌଥ ପରିବାର ରମଣୀର ସପ୍ତାହାନ୍ତ ପ୍ରତୀକ୍ଷା ପାଖ ସହରରେ ଚାକିରି କରୁଥିବା ସ୍ୱାମୀ ପାଇଁ
ଅନୁଭବ କଲେ
ପ୍ରତୀକ୍ଷା ଅପେକ୍ଷାର ଏରୁଣ୍ଡିବନ୍ଧ
କେତେ କାରୁଣ୍ୟରେ ଭରା
କେତେ ଯନ୍ତ୍ରଣାରେ ମରା
କେତେ ସଂକଳ୍ପରେ ଆବଦ୍ଧ
କେତେ ଆଶା ଆକାଂକ୍ଷାରେ ଶରବିଦ୍ଧ
ଅପେକ୍ଷା ବି ଏକ କଳା
ଯିଏ କରି ପାରିଛି
ବିରହ ନେତ୍ର ପଖାଳି ପାରିଛି
ସେ ହି କହି ପାରିବ
ପ୍ରତୀକ୍ଷାର ଜୟଯାତ୍ରା ଜୟକଳା
ପ୍ରତୀକ୍ଷାର ପବିତ୍ରତମ ସୋପାନ
ଅବଲମ୍ବନ କରିବା ପଛରେ
କେତେ ତ୍ୟାଗ
କେତେ ବଳିଦାନ ଲୁଚିଥାଏ
ଅବର୍ଣ୍ଣନୀୟ ତାର ଆଚାର ବିଚାର ବିସ୍ତାର
ବିସ୍ତାରିତ ନୟନ ଚକ୍ରବାଳ ତଳେ
ଅଶ୍ରୁ ସଜଳ ଅସଂଖ୍ୟ ମେଘ ମହ୍ଲାର ।