ଅନ୍ନବ୍ରହ୍ମ
ଅନ୍ନବ୍ରହ୍ମ
ଅନ୍ନ ହିଁ ଜୀବନ ଅନ୍ନ ହିଁ ମନନ
ଅନ୍ନ ଜୀବନ ଆଧାର
ହେ କଳା ଠାକୁର ତୁମରି ପ୍ରସାଦ
ଅନ୍ନ ବ୍ରହ୍ମ ରୂପେ ସାର ।
ଆହେ ଦାରୁ ବ୍ରହ୍ମ ତୁମେ ପରଂବ୍ରହ୍ମ
କର ମାନବୀୟ ଲୀଳା
ତୁମେ ଶିଖାଉଛ ଅନ୍ନର ମହତ୍ତ୍
ଶିଖାଅ ରନ୍ଧନ କଳା ।
ଅନ୍ନ ପ୍ରାଣମୟ ପ୍ରାଣର ସ୍ପନ୍ଦନ
ଶରୀର ମନ ନିର୍ମାତା
ସେହି ଅନ୍ନ ପାକ ପ୍ରଣାଳୀର ଧାରା
ବତାଅ ଆହେ ବିଧାତା ।
ତୁମରି ପ୍ରସାଦ ଲକ୍ଷ୍ମୀଙ୍କ ରାନ୍ଧଣା
ଅଟଇ ମହା ପ୍ରସାଦ
ମାଟି ପାତ୍ର ରନ୍ଧା ଲଘୁ ପାକ କଥା
ବତାଇଛ ଆହେ ନାଥ |
ଅନ୍ନର ମହତ୍ତ୍ଵ ରାନ୍ଧଣାର ବିଧି
ବତାଉଛ ଅନୁବ୍ରହ୍ମ
ପ୍ରତିଟି ବିଧିରେ ବିଜ୍ଞାନ ର କଥା
କହୁଅଛ ଦାରୁ ବ୍ରହ୍ମ ।
ଯେଉଁ ଅନ୍ନ ନେଇ ଅସ୍ଥି ମଜ୍ଜା ରକ୍ତ
ଶରୀର ବର୍ଦ୍ଧନ ହୁଏ
ପବିତ୍ର ମନରେ ଶୁଦ୍ଧ ଶୌଚ଼ ଦେହେ
ପ୍ରସ୍ତୁତି ରେ ପାକ ହୁଏ ।
ଅନ୍ନ ଖାଲି ନୁହିଁ କ୍ଷୁଧା ନିବାରଣ
ଅନ୍ନ ଯେ ଜୀବନୀ ଶକ୍ତି
ଅନ୍ନର ଦାନାରେ ପରଂବ୍ରହ୍ମ ସ୍ଥିତ
କୁହେ ଆମରି ସଂସ୍କୃତି |
ଅନ୍ନ ନେଇ ପରା ଏ ପିଣ୍ଡ ବ୍ରହ୍ମାଣ୍ଡ
ଅନ୍ନ ପରାତ୍ପର ବ୍ରହ୍ମ
ଶୁଦ୍ଧ ଅନ୍ନ ନେଇ ବ୍ରହ୍ମ ଯେ ସନ୍ତୁଷ୍ଣ
ଲିଭି ଯାଏ ଯେତେ ତମ ।
ଧନ୍ୟ କୁମ୍ଭକାର ଧନ୍ୟ ଯେ ରାନ୍ଧୁଣୀ
ଅନ୍ନ ବ୍ରହ୍ମ ସଙ୍ଗେ ଯୁକ୍ତ
ଧନ୍ୟ ଅନ୍ନ ବ୍ରହ୍ମ ଆହେ ଶୂନ୍ୟ ବ୍ରହ୍ମ
ଧନ୍ୟ ହେ ତୁମ୍ଭର ତତ୍ତ୍ଵ |
ଅନ୍ନ ଦାନ ଠାରୁ ପୁଣ୍ୟ ନାହିଁ ପରା
ଜୀବ ପରମ ଯେ ତୃପ୍ତ
ଅନ୍ନ ଦିଏ ଶାନ୍ତି ଚେତନା ସୁପ୍ରିତୀ
ଆତ୍ମା ହୋଇ ଯାଏ ଶାନ୍ତ ।
ଅନ୍ନ ରେ ଅନ୍ନରେ ସ୍ଥିତ ମନୋଜ୍ଞାନ
ଅନ୍ନେ ସତ୍ତ୍ଵ ଗୁଣ ବୃଦ୍ଧି
ଶ୍ରୀମହାପ୍ରସାଦ ଦିଅଇ ବାରତା
ଅନ୍ନ ରେ ମିଳେ ସିଦ୍ଧି ।
ଆହେ ପୁଣ୍ୟ ବ୍ରହ୍ମ ସିଦ୍ଧ ସନାତନ
ଦାରୁ ବ୍ରହ୍ମ ଅନ୍ନ ବ୍ରହ୍ମ
ଅନ୍ନର ମହତ୍ତ୍ଵ ଶିଖାଇଛ ପ୍ରଭୁ
ତୁମେ ଅଟ ପୂର୍ଣ୍ଣ ବ୍ରହ୍ମ ।
ପିଣ୍ଡ ଓ ବ୍ରହ୍ମାଣ୍ଡ ବ୍ରହ୍ମର ସ୍ଥିତି ଯେ
ଅନ୍ନ ର ଆଧାରେ ସ୍ଥିତ
ଶୁଦ୍ଧ ଆହାରରେ ବ୍ରହ୍ମ ତୃପ୍ତ ହୁଏ
ମୋକ୍ଷ ପ୍ରାପ୍ତି ହୁଏ ସ୍ୱତଃ |
