ଅନ୍ଧକାର
ଅନ୍ଧକାର
ଡହ ଡହ ସ୍ଵପ୍ନଗୁଡା ବିକଳରେ
ଜୀବନର ବିକଳ୍ପ ପ୍ରାନ୍ତରେ ,
ଆତୁରେ ଅନାଇଛନ୍ତି
ନିର୍ଭୁଲ ଅକ୍ଷର ଯୋଡ଼ି
ଲେଖିବାକୁ ଜୀବନ କବିତା
ରାତ୍ରୀର ଘନତ୍ଵରେ ।
ଏଠି ସେଠି କୋଳାହଳ ଭିତରେ
ଅନେକ ଚିହ୍ନାଙ୍କ ସ୍ପର୍ଶରେ ,
ତଥାପି ବି ନିର୍ଜନତା ଆଉ
ମରମ ମୁର୍ଧନର ଧ୍ଵନି
ବୀଣା ତାର ଛିଣ୍ଡି ଯାଇ
ଛିଟିକି ବାଜେ ଶରୀରରେ।
ଆଶାର ବିସ୍ତାର ଆକାଶ ଉପରେ
ସତ୍ଯକୁ ସଜାଇବା ଆବେଗରେ ,
ତୁଳୀ ଧରି କାନଭାସଟେ
ଜୀବନ ଚଯ୍ଯା ଆଙ୍କିବାକୁ
ହୃଦୟାବେଗର ବେଡା
ଭାଙ୍ଗେ ସଂକୀର୍ଣ୍ଣ ସମୟ ଶାପରେ ।
ଚିନ୍ତନା ବେଦନାର ରହସ୍ଯରେ
ସ୍ଵପ୍ନ ଆଉ ବାସ୍ତବର ଅମେଳରେ ,
ଭାବ ଭାଷା ଆଭିମୁଖ୍ୟ
ଆପଣାର କରେ ଅନ୍ଵେଷଣ
ଆଲୁଅର ଅଭିନୟ ଠାରୁ ଅନେକ ଦୂରରେ
ଏକାକୀ ଏ ଅନ୍ଧକାର ଆଶ୍ରାରେ ।
