ଅନ୍ଧକାର
ଅନ୍ଧକାର
ଏଠି ଭୁଲସବୁ ଠିକ୍ ହୁଏ
ଛେଳିଟା କୁକୁର ହୁଏ
ଏକ ତୁଣ୍ଡ ଦବିଯାଏ ତିନିତୁଣ୍ଡ ଭିତରେ -
ଆଜି ଆଲୋକ ତ ହଜିଯାଏ ଘନ ଅନ୍ଧକାରରେ ।।
ଏଠି ଦାଗୀ ଫୁଲମାଳ ପାଏ
ସାଧୁ ଜୋତା ମାଡ଼ ଖାଏ
ସତ ଲୁଚିଯାଏ ଡାହାମିଛ ଆଢୁଆଳରେ -
ଆଜି ଆଲୋକ ତ ହଜିଯାଏ ଘନ
ଅନ୍ଧକାରରେ ।।
ଏଠି ଦୁଃଶାସନ ଖସିଯାଏ
ଯୁଧିଷ୍ଠିର ବନ୍ଧାହୁଏ
ଧର୍ମ ଧ୍ୱଂସପାଏ ଅଧର୍ମର ପଶାପାଲିରେ -
ଆଜି ଆଲୋକ ତ ହଜିଯାଏ ଘନ
ଅନ୍ଧକାରରେ ।।
ଏଠି ଦୋଷୀ-ସାକ୍ଷୀ ଗୀତା ଛୁଏଁ
ନିର୍ଦ୍ଦୋଷଟା ସଜାପାଏ
ନ୍ୟାୟ ନାଶଯାଏ ଅନ୍ୟାୟର ହତିଆରରେ -
ଆଜି ଆଲୋକ ତ ହଜିଯାଏ ଘନ
ଅନ୍ଧକାରରେ ।।
ଏଠି ମନ୍ଦ ତାଳିମାଡ଼ ଖାଏ
ଭଲ-ଗୋଡ଼ ଟଣା ହୁଏ
ପାପ ପୂଜାପାଏ ପୁଣ୍ୟ ହୁଏ ଲୋକହସାରେ -
ଆଜି ଆଲୋକ ତ ହଜିଯାଏ ଘନ
ଅନ୍ଧକାରରେ ।।
ଏଠି ଅଯୋଗ୍ୟ ଆସନ ପାଏ
ଯୋଗ୍ୟ ମାଟିପରେ ଶୁଏ
ପ୍ରତିଭାର ଫୁଲ ଅକାଳରେ ଝଡିଯାଏରେ -
ଆଜି ଆଲୋକ ତ ହଜିଯାଏ ଘନ
ଅନ୍ଧକାରରେ ।।
ଏଠି ଅଳସୁଆ ସୁଖ ପାଏ
ପରିଶ୍ରମୀ ଦୁଃଖ ପାଏ
ଲାଞ୍ଚ ବଳେ ଅଗାଡି ବି ଧାନ ହୋଇଯାଏରେ -
ଆଜି ଆଲୋକ ତ ହଜିଯାଏ ଘନ
ଅନ୍ଧକାରରେ ।।
ଏଠି ସାନ ମାନ ଯଶ ପାଏ
ବଡ଼ ହୀନିମାନ ହୁଏ
ଅନୀତିର ପଦାଘାତେ ନୀତି ସଢି ମରେରେ -
ଆଜି ଆଲୋକ ତ ହଜିଯାଏ ଘନ
ଅନ୍ଧକାରରେ ।।
ଏଠି ରଙ୍କ ସଞ୍ଚେ ବୀର ଖାଏ
ଅନ୍ନଦାତା ଫାଶୀ ଦିଏ
ମାଛଦେଇ ନିଜ ପାଇଁ କଙ୍କଡାକୁ ରଖେରେ -
ଆଜି ଆଲୋକ ତ ହଜିଯାଏ ଘନ
ଅନ୍ଧକାରରେ ।।
ଏଠି ଅନ୍ଧ ସେ- ଯା' ଆଖି ଥାଏ
ସବୁ ଜାଣି ଚୁପ୍ ରହେ
ସୂରୁଜଟା ଡୁବିଯାଏ ମାଳମାଳ ମେଘରେ -
ଆଜି ଆଲୋକ ତ ହଜିଯାଏ ଘନ
ଅନ୍ଧକାରରେ ।।