STORYMIRROR

Panchanan Jena

Tragedy

4  

Panchanan Jena

Tragedy

ମଲାଜହ୍ନର ମହ୍ଲାର

ମଲାଜହ୍ନର ମହ୍ଲାର

1 min
343

କବିତା - ମଲାଜହ୍ନର ମହ୍ଲାର
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୪-୨୦୨୫

ଦିନ ବି ଅଧୁରା ରାତି ବି ବିଧୂରା
ଅଫେରା ହେଲକି ପ୍ରୀୟ
ଏଠାରେ ଫଗୁଣ ତତଲା ଅରୁଣ
ଅଂଶୁଘାତ ଦୁର୍ବିସହ

ମଳୟ ବଦଳେ ବହୁଛି ପ୍ରଳୟ
ଝାଞ୍ଜି ରୂପେ ଚଇତାଳି
ଅଧାସିଝା ପ୍ରାଣେ ତପ୍ତଝାଳ ମଣେ
ତତଲା ଗଡ଼ରେ ମାଳି

କାଳବୈଶାଖି ଝଡ଼ ବର୍ଷା ମଡ଼ମଡ଼
ଭାଙ୍ଗେ ଗଛଡ଼ାଳ ଶାଖା
ଆମ୍ବତୋଟା ସବୁ ଶ୍ରୀହୀନ ଶିଖଣ୍ଡି
ମାଙ୍କଡ଼ପଲ ବି ଭୂଖା

ନିଦାଘ ଜାଳିଲେ ଜାଳୁଥାଉ ଯେତେ
କୃଷ୍ଣଚୁଡ଼ା ରଙ୍ଗ ଧରି
ମୋ ମନ ତୁଳସୀ ଚଉରା କଳସୀ
ମିଞ୍ଜିମିଞ୍ଜି ଥିରି ଥିରି

ଶ୍ରାବଣ ଆସିଲେ ଆସିବ ମୋ ରାଣ
କଳା ବଉଦରେ ବସି
ଇନ୍ଦ୍ରଧନୁ ରଙ୍ଗ ଲେପିକି ସର୍ବାଙ୍ଗ
ଅଗଣା ମୁରୁଜ କଷି

ହେମନ୍ତ ଆସିଲେ ଆସିବ ମୋ କାନ୍ତ
ମୁକ୍ତାରେଣୁ ମୁଠେ ଧରି
ନିର୍ମଳ ଶଶାଙ୍କ ଆକାଶରେ ଅଙ୍କ
କଷି ଦେବ ବାହୁ ଧରି

ଶରତ ଆସିଲେ ଆସିବ ମୋ ସ୍ୱାମୀ
କାଶତଣ୍ଡୀ ରାଣ ନେଇ
କାନନ କେଦାର ସବୁଜିମା ସାର
ପୂର୍ଣ୍ଣଗର୍ଭା ବସିଛି ଅନାଇ

ମାର୍ଗଶିର ଆସିଲେ ଆସିବ ମୋ ପ୍ରଭୁ
ଲକ୍ଷ୍ମୀପାଦ ଡେଇଁ ଡେଇଁ
ସକାଳ ପ୍ରହରୁ ଝିନବସ୍ତ୍ରାବୃତା
ମେଖଳା ମଣ୍ଡନ ପାଇଁ

ବାଘୁଆ ଶୀତରେ ଆସିବ ମୋ ପୁରେ
କମ୍ବଳ ରେଜାଇ ଧରି
ଥିରୁଥୁରୁ ମର୍ମେ ଅନୁଭବ କରେ ଚର୍ମେ
ଲମ୍ବା ଶର୍ବରୀ ପ୍ରହରୀ

ବସନ୍ତ ଆସିଲେ ଆସିବ ଯେମନ୍ତେ
ଚୋରା ଚଇତାଳି ଛୁଇଁ
ଗର୍ଭିଣୀ ଗାଈର ନ'ମାସ ଏମନ୍ତେ
ନବାଙ୍କୁର ଜନ୍ମିବ ଏହିଁ

ସିରିଶ ମ୍ରିଦୁଳା ଲହୁଣୀ ପିତୁଳା
ମଲାଜହ୍ନ ପ୍ରାୟ କୃଶ
ତୁମ ଗୋଲମୁଁହ ଭାସେ ମହମହ
ସାକ୍ଷାତେ ମାଗିବି ଦୋଷ

ହୃଦୟ ଗବାକ୍ଷେ ନିମ୍ନିତ କଟାକ୍ଷେ
ଅପଲକ ନେତ୍ର ଧରି
ଫୋନ ମ୍ୟାସେଜ୍ କ୍ଷଣିକ ମୁଦ୍ରାକ୍ଷେ
କ୍ଷୁଧାର୍ତ୍ତ ତୁଷାର୍ତ୍ତ କୋରି

ଅକ୍ଷୟ ତୃତୀୟା ହିମାଦ୍ରୀ ତନୟା
ତୁଣ୍ଡରେ ପାଦୋକ ଦେଇ
ନ ଆସିବ ଯଦି ଶେଷ ଅନୁରୋଧ
ପହଞ୍ଚିବି ତୁମ ବସାରେ ଯାଇ

ସରିବାକୁ ବୋଧେ ଗୋଟାଏ ବରଷ
ଋତୁଚକ୍ର ଉତ୍ତରାୟଣ
ଯାଇ ପହଞ୍ଚିଲେ ନୟନ ମାନିଲେ
ଭାବନା ହିଁ ପାରାୟଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy