STORYMIRROR

ABADHOOT PANDA

Tragedy Classics

3  

ABADHOOT PANDA

Tragedy Classics

ଅତୀତ ଭାବନା

ଅତୀତ ଭାବନା

3 mins
129

ଝଡ଼ି ବର୍ଷାରେ ଭିଜି ଭିଜି ମୁହିଁ ଯାଉଥିଲି ଦିନେ 

ଚାଲି ଚାଲି ବେଦମ ହେଇଥିଲି ମୁଁ ମନ ପ୍ରାଣେ l


ମଟର ସାଇକେଲ ଚକ ହେଲା ପଙ୍କଚର ବାଟେ 

ଗଡ଼େଇ ଗଡ଼େଇ ଖୋଜି ବୁଲିଲି ଗାରେଜ ହାଟେ l


ରାସ୍ତା କଡ଼ ଦୋକାନେ ବାଧ୍ୟରେ କଲି ମୁଁ ବିଶ୍ରାମ

 ଚାକପ୍ ଧରି ହାତେ ଅତୀତକୁ ଭାବିଲି ଅବିରାମ l


ସେଦିନ ଥିଲା ନଭେମ୍ବର ଶନିବାର ଭିଡ଼ ଜୋର 

ବସିଲି ଅଫିସେ କଳେ ଜାକି ଜର୍ଦାମିଠା ପାନଖିଲ l


ପଶି ଆସିଲେ ଜଣେ ବାବୁ ରୁମ୍ କବାଟଟି ଖୋଲି

ତାଙ୍କୁ ମୋ ସାମ୍ନା ଚଉକିଟି ଶିଷ୍ଟାମୀ ସରାଗେ ଦେଲି l


କଲିଂବେଲ୍ ଚିପି ଚା ଦି କପ୍ କଲି ସତ୍ୱର ମୁଁ ବରାଦ 

ତାସଙ୍ଗେ ତେଲ ଭାଜି କିଛିର ରେସିପି ପକ୍କା ସୁଆଦ l


ପିଅନ ଦେଲା ଆଣି ପରସି ଟେବୁଲେ ଚିକଣେ ଅତି

ବାବୁ ହେଲେ ଆପ୍ୟାୟିତ ଖାଇ ଜଳଖିଆ ଚା ଝଟତି l


ଠିଆ ହେଇ ପଡ଼ି ବାବୁ ଆସିଲେ ଚାଲି ମୋ କତି

ପକେଟରୁ କାଢ଼ି ରୁମାଲ ମୁହଁ ପୋଛି ଦେଇ ସୁପ୍ରୀତି l


କାନପାଖେ ଠିଆହେଇ ଶୁଣାଇଲେ ଫୁସ୍ ଫୁସ୍ ଗିର 

ଆଜ୍ଞା ପାଞ୍ଚ ଲକ୍ଷ ଟଙ୍କା ମାତ୍ର ଦରକାର ତୁରନ୍ତ ମୋର l


ଝିଅ ବାହାଘର ପାଇଁ ମୁଣ୍ଡଟି ଭୀଷଣ ଘୁରଇ ମୋର l

କେତେ ପରସେଣ୍ଟ ନେବେ ଆଜ୍ଞା କୁହନ୍ତୁ ଟିକେ ମତେ


ଆଣିଛି ସାଥେ ଦେବି ପାଉଣା ଆପଣଙ୍କୁ ଅବି ତୁରିତେ l"

ତିନିଟା ପିଲାର ବାପା ମୁହିଁ ବେଙ୍କର ବରିଷ୍ଠ ମାନେଜର

ଘର ଭଡ଼ା ଘର ଖରଚେ ଦରମା ଗଣ୍ଡା ପଳାଏ ମୋର l


ଏକ୍ସଟ୍ରା କିଛି ଟଙ୍କା ପକେଟେ ପଶିଲେ ଆସିବ ସାହସ

ଘରକୁ କରି ରାଜଉଆସ ମନକୁ କରିବି ସଦା ଉଶ୍ୱାସ l


କେତେ ଦିନ ଭଡ଼ା ଗଣି ଯିବ ମୋ ଟିକି ସୁଶୀଳ ଜୀବନ

ଘର ଖଣ୍ଡେ କରିଥିଲେ ନିଜର ପିଲାଙ୍କ ଖୁସି ହବ ମନ l


ମନେ ରଖି ଏ ଶକ୍ତ ଭାବନାରାଜି ମୁହିଁ ଖୋଲିଥିଲି ମୁହଁ

 ଆଜ୍ଞା ପାଞ୍ଚ ଶତକଡ଼ା ନେଇ ଖୋଲି ଦେବି ସେଫ୍ ମୁହଁ l


ଲୋନ ନେବେ ଯଦି ଆପଣ ଟଙ୍କା ଦିଅନ୍ତୁ ମତେ ବଢ଼ାଇ

ଡେରି କରନ୍ତୁନି ଆଉ ଜମା ଆଜ୍ଞା ଢୋଲ ତୁରୀ ବଜାଇ l


ଷ୍ଟାଫ ଜାଣିଲେ ଏକଥା ପିଟିବେ ଯେ ଚାରିଆଡ଼େ ଡେଙ୍ଗୁରା

ଦୁହିଁଙ୍କ ଗାଲେ ଲାଗିଯିବ ଆଜ୍ଞା ଆଜି ନିଶ୍ଚୟ ଚୂନ କଳା l"


ଧୋବ ଫର ଫର ଭଦର ବାବୁ ଖୋଲିଲେ ତାଙ୍କ ଟଙ୍କାଥଳି

ପାଁଶ ଟଙ୍କିଆ ବଣ୍ଡଲ ମୁର୍କିହସେ ବଢ଼ାଇଦେଲେ ଫସ୍ କରି l


ଧରି ପକାଇଲି ଟଙ୍କା ବିଡ଼ାଟା ମୁଁ ତ ଅତି ବିକିଳିଆ ମନେ

ଗଣି ଚାଲିଲି ୱାଟର ସ୍ପଞ୍ ରୁ ଆଣି ପାଣି ଟିପେ ସନ୍ଧାନେ l


ସରିଲା ମୋ ଟଙ୍କାଗଣା ମନ ଉଡ଼ିଲା ମୋର ସରଗେ

ପକେଟସ୍ଥ କରିବାକୁ ହେଲି ଉଦ୍ୟତ ଚାହିଁ ଚଉଦିଗେ l


ସହସା ପଡ଼ିଲା ବାବୁଙ୍କ ହାତଟା ଝପଟି ମୋର ହାତେ

ପିତ ଚଢ଼ିଗଲା ମୋ ମୁଣ୍ଡେ ଦେବାକୁ ବାବୁଙ୍କୁ ନାତେ l


ଭଦ୍ରାମି ଜାଣନାକି ତୁମେ ବାବୁ ହାତକୁ ଧରୁଛ ମୋର

ଛଡ଼ାଇ ନେଉଛ ନୋଟ ବିଡ଼ାଟା କାହିଁକି କୁହ ମାତର l"


ରାଗବାଣୀ ନସରୁଣୁ ପାଟିରୁ ହଲେଇ ଦେଲେ ମୋ

ଆଖି ଆଗରେ ଆଇଡେଣ୍ଟି କାର୍ଡ ଦେଖେଇ ମେମୋ l


ସିବିଆଇ ଅଫିସର ଆମେ କୁଆଡ଼େ ଯିବ ହୋ ବାବୁ

ଖସିବାର ନାହିଁ ଉପାୟ ଆମ ହାବୁଡୁ ହେଲ ତ କାବୁ l


ଚେମ୍ବର କବାଟ ଠେଲି ଆଉଜଣେ ବାବୁ ଆସିଲେ ପଶି

ଉଠ ଉଠ ମେନେଜର ବାବୁ ଚଉକି ଛାଡ଼ି ଟାଇକୁ କସି l


ରୁମାଲ ପକାଇ ଛଡ଼ାଇ ନେଲେ ମୋ ହାତୁ ଜ୍ଞାନ ମଞ୍ଜି

ସରଗ ସୁଖ ଗଲା ମୋ ଖସି ଜ୍ଞାନ ମୋ ମୁଣ୍ଡୁ ଗଲା ହଜି l


ଘରକରା ସୁନେଲି ସପନ ମୋମନୁ ଗଲା କୁଆଡ଼େ ଉଡ଼ି

ପିଲାପିଲିଙ୍କ ମୁହଁ ଗୁଡ଼ା ଭାବି ହଂସା ଗଲା ତ ମୋ ଉଡ଼ି l


କଣ କରିବି ହାଏରେ କପାଳ ଜାଣିବେ ଚେଆରମାନ ତ 

ଦାନାପାଣିରେ ଧୋଇଲି ମୁଁ ହାତ କେମିତି ଖାଇବି ଭାତ l


ଚାଲନ୍ତୁ ବାବୁମାନେ ଆଜ୍ଞା ଚାର୍ଜ ସିଟରେ କରୁଛି ଦସ୍ତଖତ

ବେଳା ମୋର ଆଜି ଅତି ଖରାପ ନକରନ୍ତୁ ଆଉ ହନ୍ତସନ୍ତ l


ଫୋନ ଆସିଲା ହେଡ୍ ଅଫିସ୍ ମହଲୁ ଛାଡ଼ିବାକୁ ଗାଦି

ଆଇନତଃ ତୁମେ ହେଲ ଦୋଷୀ ସୂର୍ଯ୍ୟକାନ୍ତ ସାଜି ବାଦୀ l


ନା ମୋର ସୂର୍ଯ୍ୟକାନ୍ତ କିନ୍ତୁ କର୍ମ ମୋର ଦୂଷିତ ହେଲା ଆଜି

ବହିଷ୍କାର ହେଲି ବ୍ୟାଙ୍କରୁ ଦୀର୍ଘ ଅଧ ଦଶନ୍ଧି ତଳେ ପାଜି l


ନିଜକୁ ନିଜେ କରୁଛି ତିରସ୍କାର ଚା ଢୋକ ଏଠି ମାରି ମାରି l

ମନେ ମନେ ଅନୁତପ୍ତ ପ୍ରକାଶେ ଲଜ୍ଜିତ ମାତ୍ର ଭରସି ହେ ହରି l


ଦୁଇ କପ ଚା ଅନ୍ତେ ଭାଙ୍ଗିଗଲା ମୋର ଅତୀତସ୍ମୃତି ଗନ୍ତାଘର

ଚା ଦାମ ଦେଇ ଦୋକାନୀକୁ ଗଡ଼େଇ ଚାଲିଲି ଗାଡ଼ି ମୋର ll

            



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy