ଅପରିଚିତା ସହପଥିକା
ଅପରିଚିତା ସହପଥିକା
ଅଫିସି କାମରେ ଯାଇଥିଲି ଥରେ
ପାହାଡ ଉପର ଗାଁକୁ
ତୀକ୍ଷ୍ଣ ଘାଟି ମାଟି ଅବାସିଂ ରାସ୍ତାଟି
ଚଢୁଥିଲି ଉପରକୁ ।୧।
ସଂକୀର୍ଣ୍ଣରାସ୍ତାରେ ଚାରି ଚକିଆରେ
ଯାଉଥିଲି ଇଷ୍ଟ ସ୍ମରି
ପଥର ସନ୍ଧିରେ ଫସି ଘାଟିପରେ
ଭାବିଲି ଯିବିକି ଫେରି ।୨।
ଗାଡି ଫେରାଇବା ସହଜ ନ ଥିଲା
ଆଗକୁ ଗଡାଏ ଚକ
ରାତି ଗଲା ହୋଇ ଯେବେ ପହଁଞ୍ଚଇ
ଅବାସିଂ ଗାଆଁର ଛକ ।୩।
ଗ୍ରାମ ଅଧିବାସୀ ଈଶ୍ବର ବିଶ୍ବାସୀ
ଅତିଥି ଦେବତା ଗଣି
ନେଲେ ଗୋ ପାଛୋଟି ବାନ୍ଧୀ ପରିପାଟୀ
ଚାଲୁଥାଏ ରାଜା ମଣି ।୪।
ଦିନରେ ସେ ଗାଁ ଲାଗେ ଖାଆଁ ଖାଆଁ
ରାତିରେ ଆସର ବସେ
ସରବେ ହୁଅନ୍ତି ସଅଞ୍ଜେ ଏକାଠି
କୋଠଘରେ ରାତି ହସେ ।୫।
ସରକାରୀ କାମ ସରିଗଲା ପରେ
ଗଭୀର ହୋଇଲା ରାତି
ଅନ୍ଧାର ଦେଖଇ ପାରୁନାହିଁ କହି
ଥରି ଉଠୁଥାଏ ଛାତି ।୬।
ନିରୋଳା ରାସ୍ତାରେ ପଥର ଗହ୍ବେରେ
ଯିବାକୁ ହବ ଯେ ମୋତେ
ଏଠାରୁ ସତୁରୀ ମାଇଲି କିପରି
ଯିବି ଏକା ଏକା ରାତେ ।୭।
ମନ କଥା ମନେ ଭାବୁ ଭାବୁ ଜଣେ
ହାତ ଦେଖାଇଲା ମୋତେ
ଝରକା ସେପଟେ କହେ ବୀଣା କଣ୍ଠେ
ଛାଡିବାକୁ ଘାଟି ତଟେ ।୮।
ପଥ ସାଥୀ ମୋତେ ମିଳିଯିବ ସତେ
ନ ଥିଲା ମନରେ ମୋର
ମୁଣ୍ଡ ଟୁଙ୍ଗାରିଲି ଦରଜା ଖୋଲିଲି
ଦେଖିଲି ତରୁଣୀଟିଏ ।୯।
ବସୁ ବସୁ ସିଏ ହସି ହସି କହେ
ରାୟଗଡ ଘର ତାର
ଯଦି ଯିବା ବାଟେ ଛାଡେ ଘାଟି ତଟେ
ମଙ୍ଗଳ ହୋଇବ ମୋର ।୧୦।
କିଛି ମୁଁ ନ କହି ଗାଡି ଚଳାବଇଁ
ଶୁଣାଗଲା ଘଡଘଡି
ଆକାଶେ ବରଷା ବିଜୁଳିର ବସା
ନଥାଇ ବି ଶୁଭେ ରଡି ।୧୧।
ବିକଟ ଶବଦେ ହୃଦୟ ମୋ ଭେଦେ
ମଥାରୁ ଯେ ଝାଳ ବହେ
ସାହସୀ ଲଳନା ଦେଖି ସବୁ ବନା
ହସି ହସି ମୋତେ କହେ ।୧୨।
ଧସିଲେ ପାହାଡ ଗଛ ରଡମଡ
ଦେଖିକି ଚଳାଅ ଗାଡି
କିଛି ବାଟ ଯାଇ ଧସିବା ଦେଖଇ
ହୋଅସ ଯାଏ ମୋ ଉଡି ।୧୩।
ବରଫ ସମାନ ଜଳ କରି ପାନ
ବୁହଇ ଝାଳର ସୁଅ
ଆଗକୁ କେମିତି ଗାଡି ନେଇ ଯିବି
ଶୁଖଇ ରକତ ଦେହ ।୧୪।
ଗାଡି ଆଲୁଅରେ ଦେଖିଲି ବାହାରେ
ଯିବାଟା ସମ୍ଭବ ନୁହଁ
ମୋବାଇଲେ ମୋର ନାହିଁ ଯେ ସଂକେତ
କାହାକୁ କହିବି କୁହ ।୧୫।
ଏପଟ ସେପଟ ଖୋଜିଲି ବହୁତ
ପାଇବାକୁ ସହାୟତା
ପାଖରେ କୋଉଠି ଘରଘାଟ ନାହିଁ
ଜୀବନୁ ତୁଟେ ମମତା ।୧୬।
ନାଲିଆ ବାହିନୀ ଅଥବା ଜଙ୍ଗଲୀ
କାଳେ ଆକ୍ରମଣ କରି
ଧସେଇ ପାହାଡ ଅପ୍ରାକୃତ ଜୀବ
ପଠାଇବ ଯମପୁରୀ ।୧୭।
ଭାବୁ ଭାବୁ ଏହା ପଚାରଇ ବାଳା
ଡରୁଛି ମୁଁ କାହିଁପାଇଁ
ସେ ରହିଲେ ସାଥେ ଆସିବନି କେବେ
ବିପଦ ମୋହରି ପାଇଁ ।୧୮।
ଗାଡିରେ ତାହାକୁ କହି ଶୋଇବାକୁ
ବାହାରେ ଦେଖିଲି ଯାଇ
ଶୁଭ୍ର ଚନ୍ଦ୍ରାଲୋକ ଶାନ୍ତ ପରିବେଶ
ଶୀତଳ ବାଆ ବହଇ ।୧୯।
ଡର ଲାଗିଲେ ବି ଗାମୁଛା ଦୁଇଟି
ବାହାରକୁ ନେଇଗଲି
ଭଲ ଯାଗାଟିଏ ବାଛି ମୁଁ ସେଠାରେ
ଡରେ ଡରେ ଶୋଇଗଲି ।୨୦।
ନିଦ ଆସିଗଲା ଜଣା ନ ପଡିଲା
ପାଖରେ ତରୁଣୀ ଜଣେ
କେଉଁ ରାଇଜର ରାଜଜେମା ସମ
ଆନନ୍ଦେ ନିଅଇ କୋଳେ।୨୧।
ସପନ ନ ଥିଲା ସେ ସତ ସତିକା
ସହପଥିକା ମୋ ଥିଲା
ତା ବାହୁ ବନ୍ଧନେ ସୁଶୀତଳ ବନେ
ରାତି ବିତି ଯାଉଥିଲା ।୨୨।
ତା ନରମ ବକ୍ଷେ ମୋ ବାହୁ ବନ୍ଧନେ
ମୋ ଯାନୁରେ ତାର କଟି
ରାତି ସାରା ଯାହା ଉଠ ପଡ ହିଆ
ଶୁଖି ଯାଉଥିଲା ତୋଟି ।୨୩।
କାଳେ ମୁଁ ଅବଶେ ରହିବି ବିଶେଷେ
ଅଙ୍ଗ ଚିପି ରଙ୍ଗ ହୁଏ
ତା ଛୁଆଁ ବିଜୁଳି ଉଠଇ କୁହୁଳି
ଚୁମି ଢାଙ୍କି ତୋଳି ନିଏ ।୨୪।
ବାର ବାର ଯେତେ ଓଦା ହୋଇ କେତେ
ଓଠ ମଧୁ ପାନ କରି
ଭ୍ରମର ପରାଏ ବାରମ୍ବାର ଫୁଲେ
ଚୁମି ଚୁମି ଯାଏ ଫେରି ।୨୫।
ତୀକ୍ଷ୍ଣକଟି ହାତେ ଧରିନେଲେ ଶତେ
ଚମକ ଖେଳଇ ଅଙ୍ଗେ
ତା' ନମ ଶରୀରେ ମାଦକତା ସୁରେ
ଭରଇ ଅଙ୍ଗ ପ୍ରତ୍ୟଙ୍ଗେ ।୨୬।
ତା ଚୁମ୍ବନେ ମିଠା ଭରିଛି ବିଧାତା
ଅମୃତ ସମାନ ଲାଗେ
ଚୁମିଦେଲେ ଥରେ ଇଚ୍ଛା ଆଉ ଥରେ
ଓଠ ଲଗାଏ ତା' ଓଠେ ।୨୭।
ତା ବକ୍ଷେ ମୋ ମୁହଁ ଖୋଜି ବିନ୍ଦୁ ଦେହ
ଉନ୍ମତ୍ତ କରଇ ସତୀ
ତା ବାହୁ ବନ୍ଧନେ ସେ କାମ ଇନ୍ଧନେ
ଜଳି ଜଳି ଯାଏ ମତି ।୨୮।
ତାକୁ ପାଇ ପାଶେ ମୁଁ ବଡ ହରଷେ
ସରାଗେ କାଟିଲି ରାତି
କେଉଁ ଜନମର ଅଭିଳାଷ ମୋର
ଶୀତଳ କଲା ମୋ ଛାତି ।୨୯।
ରାତି ପାହିଲାରୁ ମେଲାଣି ନେବାରୁ
ପଚାରିଲି ତାକୁ ନାଆଁ
ଅଳ୍ପ ହସି କହେ ଅବାସିଂରେ ରହେ
କହିବ ନାଆଁଟି କିଆଁ ।୩୦।
ଦୃତ ଦୁରଭାଷ ନମ୍ବରଟା ନିଅ
ଯେବେ ଇଚ୍ଛା କଥା ହେବ
ଯାହା ଆଜି ମୋତେ କହିନ ପରତେ
ଦୁରଭାଷେ କହିଦବ ।୩୧।
ନେଇ ଚାଲିଗଲା ମୋର ହୃଦୟଟା
କରିଦେଲା ମୋତେ ଏକା
ଦେଇଗଲା ସିନା ମୋତେ ନମ୍ବରଟା
ଦେଇଗଲା ସତେ ଧୋକା ।୩୨।
ନମ୍ବରଟା ଯେବେ ରହେ ଅପହଞ୍ଚେ
ସଂକେତ ତା ଆସେନାଇଁ
ତା' ରୁପ ଯୌବନ ପୀରତି କୌଶଳ
ସଦା ଭାଳି ହେଉଥାଇ ।୩୩।
ଏବେ ଅପହଞ୍ଚ ହୋଇଚି ପହଁଞ୍ଚ
ତା ସହିତ କଥା ହେଲି
ଯାହା ପଚାରିଲି କିଛି କହିଲାନି
ହସୁଥିଲା ଖିଲି ଖିଲି ।୩୪।
କହିଲା ସରାଗେ ବଡ ଅନୁରାଗେ
ହାପି ହୋଲି ହାପି ହୋଲି
ତା କଥା ମୁଁ ଶୁଣି ମନେ ହୁଏ ଗୁଣି
ହାତେ ଚାନ୍ଦ ପାଇ ଗଲି ।୩୫।
ଦେହ ମନେ ମୋର ତା ରୂପ ସମ୍ଭାର
ବସିଚି କାୟା ବିସ୍ତାରି
ତାହା ଛଡା ମୋର ନାହିଁ କେ ନିଜର
ପ୍ରୀୟା ଜାୟା ଅର୍ଦ୍ଧ୍ୱଶ୍ଵରୀ ।୩୬।
ନିଜ ନାଆଁ ଜାତି କହିଲା ପରେ ବି
କହିଲାନି ତାର ନାଆଁ
କହିଲା ବୁଲେଇ କାଳେ ମୁଁ ଦୁରେଇ
ଯିବି ଜାଣି ତା ସାଙ୍ଗୀଆ ।୩୭।
ବ୍ରାହ୍ମଣ କରଣ ଅବା ବୈଶ୍ୟ ଜନ
କହଇ ସରବେ ହୀନ
ପୁରାଣ ପୃଷ୍ଠାରେ ଲେଖା ସବୁଥିରେ
ନାରୀ ପାଏ ଅପମାନ ।୩୮।
ଶୂଦ୍ର ଯଦି ହେବି ତାକୁ ମୁଁ ପାଇବି
ଦ୍ରାବିଡ ଆଦିମ ସିଏ
ନିଜର କେମିତି ବଦଳିବ ଜାତି
ସେ କଥା ମୁଁ ଭାଳି ହୁଏ ।୩୯।
ଆର୍ଯ୍ୟବୋଲି କହି କରୁଚି ବଡେଇ
ଆର୍ଯ୍ୟ ମୁଁ ହୋଇଲି କେବେ
କାଷ୍ପୀୟାନ ତଟ ମାଂସାହାରୀ ବଂଶ
ବା ବର୍ଣ୍ଣ-ଶଙ୍କର ଭବେ ।୪୦
ଅପରିଚିତା ମୋ ଗଜ ମୁକୁତାଗୋ
ଜୀବନ ସନ୍ଦେଶ ମୋର
ତମ ମୁଖ ଦିଶେ ସପନ ପ୍ରଦେଶେ
ତମଠାରେ ଏକାକାର ।୪୧।
ମୁରୁଗ ନୟନୀ ସରମ ଶୋଭନୀ
ଦରଦୀ ହୃଦୟା ମିତ
ଚନ୍ଦ୍ରସମ ମୁଖ ଅଧରେ ଗୋଲାପ
ସୁଧା ବହେ ଅବିରତ ।୪୨।
ପଦୁଅଁ ପାଖୁଡା ତମ ହାତ ଯୋଡା
ନୟନ ମାଦକ ଭରା
ରାଜହଂସ ପରି ଚାଲି ଥିରି ଥିରି
ଚେହେରାଟା ଅପାଶୋରା ।୪୩।
ନାଲିଆ ଓଠରୁ ମୁକୁତା ଫାଙ୍କରୁ
ଝରି ପଡେ ପ୍ରେମ ବାରି
ତମ ବକ୍ଷଦେଶ ମୋର ଅବଶୋଷ
ତମେ ପ୍ରେମ ଫୁଲଝରୀ ।୪୪।
ତମ ଦିହ ଛୁଆଁ କରିଛି କିମିଆଁ
ମନେ ମୋ ରହିଛ ପୁରି
ତମ ପାଖେ ମନ ତମଠି ସପନ
ତମେ ମୋ ଜୀବନ ତରୀ ।୪୫।
ତମ ଛବି ମତେ ଦିଶଇ ଜଗତେ
ତମେ ମୋ ଜୀବନ ଧନ
ତମରି ଚେହେରା ମୋହରି ଆଶରା
ମୋର ସୁନେଲୀ ସପନ ।୪୬।
ଜାତି ଗୋତ୍ର କଥା ଆମେ ଭୁଲି ଯିବା
ହୋଇବା ଜୀବନ ସାଥୀ
ତମ ବିନା ମୋର ଜୀବନ ଅସାର
ସରେନି ଚାନ୍ଦୀନୀ ରାତି ।୪୭।
ପୁରାଣ ପୃଷ୍ଠାରେ ଆମ ଜାଣତରେ
ଲେଖା ଅଛି ସବୁଠାଏ
ସ୍ତିରୀର ସାଙ୍ଗୀଆ ଜାତି ଗୋତ୍ର ନାଆଁ
ପୁରୁଷରେ ଲୀନ ହୁଏ ।୪୮।
ତୁ ତ ହିନ୍ଦୁ ନାରୀ ତୋ କଥା ତୋହରୀ
ତଉଲି ନେ ଆଉ ଥରେ
ସବୁ କଥା ଭୁଲି ମାନି ଯା ଲୋ ଗୋରୀ
ଆସି ଯା ମୋ ଅଗଣାରେ ।୪୯।
ମୋ ଜୀବନ ମଞ୍ଚେ ଉଭା ହୋଇ ସାଥେ
ବାହାନ୍ତୁ ଜୀବନ ତରୀ
ସବୁ ସର୍ତ ତୋର ରଖି ଗୋ ପଛର
ଆସ ବାହେ ଅବତରି ।୫୦।
ତୋ ସାଥେ ମିଳନ ହେଲା ପରେ ମନ
ଯାହା ସର୍ତ ଦବୁ ମୋତେ
ଉଠ ବସ ହେବି ତୋ କଥା ମାନିବି
ଚାଲିବି ତୋ ଇଚ୍ଛା ମତେ ।୫୧।
ଅବାସିଂହି ଘାଟି ଉପରେ ପୀରତି
ମନ୍ଦୀରଟେ ତୋଳାଇବି
ସେଇ ମନ୍ଦୀରରେ ତୋ ରଙ୍ଗ ଅଧରେ
ହସଟିଏ ଖେଳାଇବି ।୫୨।
ମୋଗଲବନ୍ଦୀଆ ଓ ଗଡଜାତିଆ
ହୃଦୟ ମହଲ କହି
ଆମ ସାଙ୍ଗସାଥୀ ଗାଇ ପ୍ରେମଗୀତି
ଯିବେ ମନ୍ଦୀରରେ ନଇଁ ।୫୩।
ଦୂରରୁ କଣେଇ ରହିବୁ ଅନେଇ
ମୋ ନଜର ଯିବା ଯାଏ
ମୋ ପ୍ରେମ ନଜରେ ସରମି ଲାଜରେ
ହସିବୁ ଆପଣା ଛାଏଁ ।୫୪।
ଭାବିବୁନି ମନେ ମୋ ମନ ଗୋପନେ
ଆଉ କିଛି କଥା ଅଛି
ତୋ ପ୍ରେମ ବ୍ୟତୀତ ସବୁ ମୋ ଅତୀତ
ତୋତେ ଲୋ ଭଲ ପାଉଛି ।୫୫।
ତୋ ଅମୃତ ବାରି ମନେ ଯାଏ ଭରି
ଝୁରିହୁଏ ରାତି ଦିନ
ପାରୁନି ସଳଖି ମୋର ଅଣ୍ଟାଟିକି
ତୋ ପାଶେ ବନ୍ଧା ମୋ ମନ ।୫୬।