ଅନ୍ଧାର ଚକ୍ରବାଳ
ଅନ୍ଧାର ଚକ୍ରବାଳ
ଯାହାକୁ ମୁଁ ଭଲ ପାଏ
ତା ଠାରୁ ଜାଣି ଜାଣି ଦୂରେଇ ଯାଇଥାଏ
ଯାହାକୁ ମୁଁ ବହୁତ ଭଲ ପାଏ
ତା ଠାରୁ କୋଶ କୋଶ ଦୂର ଜାଣି ଶୁଣି ଦୌଡି ପଳାଏ
ଆଉ ଯାହାକୁ ମୁଁ ସବୁଠାରୁ ବେଶି ଭଲପାଏ
ତା ଠାରୁ ଯୋଜନ ଯୋଜନ ଦୂର ଉଭାନ ହେଇଯାଏ
ଆଉ ଯାହାକୁ ମୁଁ ହୃଦୟ ସିଂହାସନରେ ବସେଇ ଥାଏ
ତା ଠାରୁ ଆଖି ଦୂରେଇ ଘୁରେଇ ବୁଲେଇ ନିଏ
ଜାଣି ପାରେନା ଏମିତି କାହିଁକି ହୁଏ
କଳି ପାରେନା ଏମିତି କେମିତି ହୁଏ
କହି ପାରେନା ଏମିତି ଅବାନ୍ତର ମୋତେ କିଏ କରାଏ
ନିଜେ କାହିଁକି ପଛଘୁଞ୍ଚା ଦିଏ
ନିଜେ କାହିଁକି ବଢ଼େଇ ଥିବା ପାଦ ବୁଲାଏ ପଛାଏ
ନିଜେ କାହିଁକି ନରମି ଯାଏ ସରମି ଯାଏ
ନିଜେ କାହିଁକି ପଛେଇ ଯାଏ ପତଳା ଗଳି ବାଟ ଦେଇ ଗଳି ପଳାଏ
ଲୋକେ କହିବେ କଣ
?
ସେହି ଡରରେ ବୋଧେ
ଲୋକେ ଭାବିବେ କଣ ?
ସେହି ଧାସରେ ବୋଧେ
ଦୁନିଆ ଡରେଇବ ବି ଘଉଡେଇବ ବି
ତୁଣ୍ଡ ବାଇଦ ତଡିବ ବି ତାଣ୍ଡିବ ବି
ଆଉ ସେହି ବଦନାମର ଭୟରେ ବୋଧେ
ଆଉ ସେହି ଲୋକଲଜ୍ୟାର ଦଂଶନରେ ବାଧେ
ପ୍ରେମ ପଥରୁ ବିଚ୍ୟୁତ ହେବାକୁ ବାଧ୍ୟ ହୁଏ
ବିଚରା ପ୍ରେମ କାତର ଭୟାତୁର
ପ୍ରେମ ପଥ ପରା ଖସଡ଼ା ଅମଡ଼ା
ଜାଣିଛି ଜଗତ
ଗୋଡ଼ ଖସଡିବ
ପାଦ ଆଞ୍ଜୁଡିବ
ଆଖି ଜଳି ଉଠିବ
ମୁଁହ ଡ଼ବଡ଼ବ ହେବ
ସେ ସବୁ ଝଡ଼ ଝଞ୍ଜାର ସାମ୍ନା କରିଲେ
ହେବ ପ୍ରେମିକ
ହେବ ପ୍ରବର ପ୍ରଚଣ୍ଡ ପ୍ରେମିକ
ହେବ ଜବରଦସ୍ତ ପ୍ରେମିକ
ଆଉ ଦେଲେ ପଛଘୁଞା ପ୍ରବଳ
ସଫଳ ସୋପାନ ହେବ ବିଫଳ
ବିଫଳତା ପାଦ ଚୁମିବ ଅନ୍ଧାର ଚକ୍ରବାଳ