ଅନ୍ଧ ସାଥେ ପଟୁଆର
ଅନ୍ଧ ସାଥେ ପଟୁଆର
ଯୋଗ୍ୟ ବ୍ୟକ୍ତି ହସ୍ତେ ଦାୟିତ୍ଵ ଅର୍ପଣ
ଅବା କାର୍ଯ୍ୟରେ ନିଯୁକ୍ତି
ଫଳପ୍ରଦ ସହଜରେ ଅନୁମେୟ
ଅନୁଭୂତି ପୂର୍ଣ୍ଣ ଉକ୍ତି
କର୍ମ ଭାର ନ୍ୟସ୍ତ ଅକ୍ଷମ ବ୍ୟକ୍ତିଙ୍କୁ
ଅଯଥାରେ ପଟୁଆର
ଅନ୍ୟର ସାହାଯ୍ୟ ଅବା ସହାୟତା
ଆପେ ପ୍ରାୟ ପ୍ରତିକାର
ମଣିଷ ଜୀବନ ଜ୍ଞାନାଲୋକ ବିନା
ଅନ୍ଧ ସମ କରେ କର୍ମ
ଇନ୍ଦ୍ରିୟ ଲାଳସା ଚରିତାର୍ଥ ଅର୍ଥେ
ସତେ ଅବା ମତିଭ୍ରମ
ଶାସ୍ତ୍ର ଆଧାରିତ ଜ୍ଞାନ ଅଭାବରେ
ମଣିଷ ଅନ୍ଧ ସମାନ
ଶତ୍ରୁ ମିତ୍ର ଭେଦ ଭାବ ଜ୍ଞାନ ବିନା
ନିଜ ସ୍ବାର୍ଥରେ ମଗନ
ଅଜ୍ଞାନତା କ୍ରମେ ଦୁଃଖର କାରଣ
ଜ୍ଞାନାଲୋକ ବିନା ଅନ୍ଧ
ଅକର୍ମ କୁକର୍ମ ଦୁଷ୍କର୍ମ କବଳେ
ଫଳ କେବଳ ହିଁ ମନ୍ଦ
ବ୍ରହ୍ମାଣ୍ଡର ସୀମା ପ୍ରତ୍ୟୟ ସହଜେ
ମୂର୍ଖତା ସୀମା କଠିନ
ଜ୍ଞାନ ବିନା ଅନ୍ଧ ପରାୟ ଜୀବନ
ନୁହେଁ ସୀମା ନିର୍ଦ୍ଧାରଣ
ଲୋକ ବାଣୀ ଆଧାରରେ ଉକ୍ତି
ଅନ୍ଧ ଦ୍ଵାରା ପାଣି ବୁହା
ପଟୁଆର ସମ ଅନ୍ୟ ତିନି ଜଣ
ପାଖେ ହୋଇଥାନ୍ତି ସାହା
ଅନ୍ଧ ପାଖେ ପାଖେ ସହାୟକ ଭାବେ
ଅନ୍ୟ ବ୍ୟକ୍ତି ଉପସ୍ଥିତି
ଆଗରେ ପଛରେ ପ୍ରତି ମୁହୂର୍ତ୍ତରେ
ପ୍ରାୟ ଘେରି ରହିଥାନ୍ତି
ଅଯୋଗ୍ୟ,ଅକ୍ଷମ ଅବା ନୀଚ-ମନା
ସମ୍ଭାଳିଲେ କାର୍ଯ୍ୟଭାର
ଅପାତ୍ରରେ କନ୍ୟାଦାନ ସମ ଦଶା
ହୁଅଇ ଦୃଷ୍ଟିଗୋଚର
ଅନ୍ଧ ସମ ଯଦି ଶାସକ ବିଚାର
ଶାସନ ବ୍ୟବସ୍ଥା ଧାରେ
ପଟୁଆର ଭାବେ ଚାଟୁକାରୀ ଗଣ
ଦୃଶ୍ୟ ଆଗରେ ପଛରେ
ବେଦ ବାଣୀ ପୁଣି ଧର୍ମ ଶାସ୍ତ୍ର ଜ୍ଞାନ
ସାଧୁଙ୍କ ଦୁଇଟି ନେତ୍ର
ଏକ ବିନା କଣା ଦୁଇ ବିନା ଅନ୍ଧ
ମାନ୍ୟତା ମିଳେ ସର୍ବତ୍ର
ଶ୍ରୀହରି ଚରଣେ ପଶିଲେ ଶରଣ
ଦୁଃଖ ହୁଅଇ ହରଣ
ଶ୍ରୀଚରଣେ ମନ ଧ୍ୟାନ ରହିବାକୁ
ଜ୍ଞାନ ପୁଣି ପ୍ରୟୋଜନ
ସୁନ୍ଦର ସୃଷ୍ଟିର ଦୃଶ୍ୟ ଅନୁଭବ
ଅନ୍ଧ ପକ୍ଷରେ ଦୁରୁହ
ଅଜ୍ଞତା ସେପରି ଆଖି ଥାଇ ଅନ୍ଧ
ମୂର୍ଖତା ବି ଭୟାବହ
କର୍ତ୍ତବ୍ୟ ସାଧନେ ଜ୍ଞାନ ଗୁଣ ବଳ
ଆବଶ୍ୟକ ତତ୍ତ୍ୱ ପ୍ରାୟ
ଗୁରୁତ୍ଵ ବହନ କରୁଥିବା କାର୍ଯ୍ୟ
ଯୋଗ୍ୟତା ବଳେ ନିର୍ଣ୍ଣୟ
ଘର,ଅନୁଷ୍ଠାନ ଅଥବା ଦେଶର
ପରିଚାଳନା ଦାୟିତ୍ଵ
ଯୋଗ୍ୟ ବ୍ୟକ୍ତି ହସ୍ତେ ଯଦି ହୁଏ ନ୍ୟସ୍ତ
ବିକାଶ ହେବ ତ୍ଵରିତ
