ଅନ୍ଧ ହୃଦୟର ପଶ୍ଚାତାପ
ଅନ୍ଧ ହୃଦୟର ପଶ୍ଚାତାପ
ମୁଁ ତୁମ ଯନ୍ତ୍ରଣାର କାରଣ ହୋଇଗଲି
ଦେଖି ପାରିଲିନି ତାର କାୟା, ବୋବାଳି
ସବୁ ଦୁଃଖକୁ ବରଦାସ୍ତ କରି ଯାଉଥିଲି
ଆଉ ମୁଁ ଅନ୍ଧ...ଅଧ ବାଟରେ ଝୁଣ୍ଟି ପଡ଼ିଗଲି ।
ହଁ ତୁମେ ଠିକ୍ କଲ, ଛାଡ଼ି ଚାଲିଗଲ
ଅନ୍ଧ ଥିଲି ବୋଲି ଜୀର୍ଣ୍ଣ କରି ଦେଉଥିଲି
ଜଡ଼ ପାଳଟି ଯାଇଥିବା ବାତାବରଣକୁ
ଏବେ ମୁଁ ବେସାହାରା ପ୍ରେମୀ କଏଦୀଟେ
ଏ ସଂସାର କାରାଗାର ଭିତରେ ସଜା କାଟୁଛି ।
ଆକାଶ ସଦା ଆମ ନିକଟତର ଥାଇ ବି
ଲୋକେ ତାକୁ ଅନେକ ଦୂରରେ ଖୋଜିଥାନ୍ତି
ତୁମେ ବି ସେମିତି ନିକଟତର ରହିଗଲ ବୋଲି
ଗାନ୍ଧାରୀର ଅନ୍ଧପୁଟୁଳି ଭଳି ଅନ୍ଧ ହୋଇଥିଲି
ମୁଁ ଜାଣିଗଲି, ଅନ୍ଧ ଅନ୍ଧାରେ କେମିତି ବଞ୍ଚିଥାଏ ।
ତାରା ମେଳେ ଜହ୍ନ ରଚିଥିଲା ଇତିହାସ
ସେଥିରେ ଗୋଟିଏ ପୃଷ୍ଠା ହିଁ ଦୋହଲାଇ ଦେଲା
ଅଧୁରା ଜୀବନର ଢେର ସାରା ଲିଖିତ ପୃଷ୍ଠାକୁ
ତଥାପି ବେଦନା ଢେଉରେ ନୌକାରେ କାତ ଧରି
ଆଗେଇ ଚାଲିଛି ଉଦେଶ୍ୟହୀନ ନାଉରୀ ହୋଇ ।