ପାହାଡ଼ର ସୂର୍ଯ୍ୟ
ପାହାଡ଼ର ସୂର୍ଯ୍ୟ


ପାହାଡ଼ ସିନା ଜାଣେ
ତା ଉପରର ସୂର୍ଯ୍ୟ କେତେ ଦୂରେ
ତୁମ ଆଖିରେ ତ ପାଖ ବୋଲି ଦିଶେ
ସେଇଥି ପାଇଁ ତୁମ ନଜରରେ ଆଜି
ଦୂର ପାହାଡ଼ ସୁନ୍ଦର...।।
ସୂର୍ଯ୍ୟ ତା ସମୁଦାୟ ଅଗ୍ନି ବର୍ଷାଏ
ଶୁଖାଇ ଦିଏ ପାହାଡ଼ର ଶିଖରକୁ,
ତା ଉପରେ ପଥରର ବୋଝ ତଥାପି,
ଗୋଟେ ଋତୁର..ମେଘ ଗର୍ଜନର ବର୍ଷା
ନଇଁ ନାଲ କରି ତା ବୁକୁ ଚିରି ଦିଏ
ଉଜାଡି ଦିଏ ତା ସଂସାରର ସ୍ୱପ୍ନ ।।
ମୁଁ ଠିକ୍ ସେ ପାହାଡ଼ ଭିତରର ଦୃଶ୍ୟ ଭଲି
ଭିତରେ ଜଳି ପୋଡି ପାଉଁଶ ହୋଇ ଗଲେ ବି
ତୁମକୁ କେବେ ଦେଖା ଯାଏନି ଅନ୍ତରର ଦୁଃଖ
କାରଣ...ମୋ ଉପରେ
ପାହାଡ଼ର ବୃକ୍ଷ ଲତା ପରି ମୋ ଉପରେ,
ଢାଙ୍କି ହୋଇ ଯାଇଛି ଅନେକଙ୍କ ଆନ୍ତରିକତା
ଆଉ ସେ ଭିତରେ ବଞ୍ଚିଛି ଶୂନ୍ୟ ଏକ ପାହାଡ଼ ଭଳି ।।
ତୁମେ ଦୂରେ ଥାଇ...
ସକାଳ ସନ୍ଧ୍ୟାକୁ ଉପଭୋଗ କରିନିଅ
ସବୁଜିମାକୁ ତୁମ ମନରେ ଚିତ୍ରିତ କର,
ହେଲେ ମୋ ମନର ପତ୍ରଝଡା କେବେ ଦେଖିନ
ନା କେବେ ଥରେ ଦେଖିବାକୁ ବି ଇଛା କରିନ
ହଁ ଯଦି ଥରେ ବି ଦେଖିଥାନ୍ତ ତେବେ...
କେଉଁ ଏକ ସୂର୍ଯ୍ୟର ତାପରେ,
ମୁଁ ଆଜି ଜଳି ଜଳି ଯନ୍ତ୍ରଣା ଭୋଗୁନଥାନ୍ତି ।।