"ଅନ୍ଧ ଗଳିର ମଣିଷଟିଏ"
"ଅନ୍ଧ ଗଳିର ମଣିଷଟିଏ"
ଅନ୍ଧ ଗଳିର ମଣିଷଟିଏ ମୁଁ
ଅନ୍ଧ ଗଳିର ମଣିଷଟିଏ
ଅନେକ ଯାତନା
ନିର୍ଯ୍ୟାତନା ସହି
ଘାତ ପ୍ରତିଘାତେ
ଜୀବନ ଜୀଏଁ ।
ଘର ପରିବାର
ସଖା ସହୋଦର
କେହି ନୁହଁନ୍ତି ମୋହର
ସତ୍ୟନିଷ୍ଠ ହୋଇ
କର୍ମ କରେ ବୋଲି
ସଭିଙ୍କ ଠାରୁ ଗଞ୍ଜଣା ସହେ ।
ସତ୍ ପଥକୁ ଆଶ୍ରା କରେ ବୋଲି
ସମାଜ ମୋତେ ପାଗଳ କୁହେ
ଆଖି ଥାଉଁ ଥାଉଁ ମୋତେ
ଏ ସମାଜ ଅନ୍ଧ କରିଦିଏ
ଆଜି ଏ ସମାଜ ଆଖିରେ
ଅନ୍ଧ ଗଳିର ମଣିଷଟିଏ ମୁଁ
ଅନ୍ଧ ଗଳିର ମଣିଷଟିଏ ।
ପରକୁ ଆପଣା
କରିପାରେ ବୋଲି
କେତେ ଲାଞ୍ଛନା ଭର୍ତ୍ସନାର
ମୁଁ ଶିକାର ହୁଏ
ପରୋପକାର କରି,
ତ୍ୟାଗପୂତ ଜୀବନେ
ବିଶ୍ଵାସ କରି
କଳାର କାଳିମାରେ
ଜୀବନ ମୋ ପରିପୂର୍ଣ୍ଣ ହୁଏ
କେବେ ଘୃଣିତ, କେବେ ନିନ୍ଦିତ
କେବେ ପୁଣି କୁତ୍ସିତ
କଦାକାର ଚରିତ୍ରେ
ମୋତେ ରୂପାୟିତ କରାଯାଏ
କିଏ ନିର୍ବୋଧର ଆଖ୍ୟା
ମୋତେ ଦେଇଥାଏ
ତମସାଛନ୍ନ ଜୀବନେ
ଅନ୍ଧ ଗଳିର ମଣିଷଟିଏ ମୁଁ
ଅନ୍ଧ ଗଳିର ମଣିଷଟିଏ ।
ସତ୍ୟକୁ ଉନ୍ମୋଚନ କରିବା
ସତ୍ୟ, ଧର୍ମ, ନ୍ୟାୟ ପଥେ ଚଳିବା
ସେହି ପଥର ପଥିକ ସାଜି
ଜୀବନେ ଅନେକ ଯନ୍ତ୍ରଣା ପାଏ
ମୋ'ର ବୋଲି ମୁଁ
କିଛି ଭାବି ନ ଥାଏ
ସ୍ଵାର୍ଥପରତାରେ କିଛିି
ଆନନ୍ଦ ନ ପାଏ
ବଞ୍ଚିବାର ରାସ୍ତା
ମୋ'ର ଅଲଗା
ସମାଜେ ସେ ପାଇଁ
ମୋ'ର ନ ଥାଏ ଜାଗା
ଠକାମୀ, ଭଣ୍ଡାମୀ,
ଭାଣ୍ଡାମୀରେ
ମୋ ବିଶ୍ଵାସ ନ ଥାଏ
ଦୁର୍ନୀତି, ଭ୍ରଷ୍ଟାଚାରୀ
କୂଟ, କପଟୀ, ଖଳ ଜନଙ୍କୁ
ଆଡ ଆଖିରେ ମୁଁ ନ ଚାହେଁ
ସେ ପାଇଁ ମୋତେ
କିଏ ଦେଶଦ୍ରୋହୀ କୁହେ
କିଏ ଅହଂକାରୀ କୁହେ
କିଏ ପୁଣି ଆତ୍ମଗର୍ବୀ କୁହେ
ମୁଁ ଜାଣେନା ମୋ ସାଥୀରେ
ଏପରି କାହିଁକି ହୁଏ ?
ମଣିଷ ମଣିଷକୁ ଭଲପାଇବାରେ
ମଣିଷ ପଣିଆ ଓ ମାନବିକତାକୁ
ଭଲପାଇବାରେ
ଏତେ ସବୁ କ'ଣ
ବାଛ ବିଚାର ଥାଏ
ସେ ପାଇଁ ଆଜି କି
ଅନ୍ଧ ଗଳିର ମଣିଷଟିଏ ମୁଁ
ଅନ୍ଧ ଗଳିର ମଣିଷଟିଏ ?
ପିତାମାତାଙ୍କୁ ଯେ
ନିର୍ଯ୍ୟାତନା ଦିଏ
ନାରୀ ଜାତିକୁ ଯିଏ
ଯାତନା ଦିଏ
ସେ ହିଁ ଦେଶେ ଓ ସମାଜେ
ସାବାସୀ ପାଏ
ଅନ୍ୟାୟ, ଅନୀତି, ଦୁର୍ନୀତି
କୁସଂସ୍କାର ବିରୁଦ୍ଧେ
ଯେ ସ୍ଵର ଉଠାଏ
ସେ ପରା ଏ ସମାଜେ
ଦେଶ ଦ୍ରୋହୀ ହୁଏ
ଏହି ପଥର ପଥିକ ବୋଲି
କିବା ଆଜି ଅନ୍ଧ ଗଳିର
ମଣିଷଟିଏ ମୁଁ
ଅନ୍ଧ ଗଳିର ମଣିଷଟିଏ ?
ଜାୟା, ଜନନୀ, ଭ୍ରାତା, ଭଗିନୀ,
ସନ୍ତାନ, ସନ୍ତତି
ମୋ'ର ଆଜି କେହି ନୁହେଁ
ସର୍ବ ସମ୍ମୁଖେ ଅପ୍ରିୟ ସତ୍ୟ
ମୁଁ କୁହେ
ଉପରିସ୍ଥ କର୍ମକର୍ତ୍ତାଙ୍କ ଠାରୁ
ସହକର୍ମୀଙ୍କ ଯାଏଁ
ସଭିଙ୍କ ସମ୍ମୁଖେ
ଯୁକ୍ତିଯୁକ୍ତ କଥା ହିଁ କୁହେ
ଅନ୍ୟାୟ, ଅନୀତି ବିରୁଦ୍ଧେ
ସ୍ଵର ଉଠାଏ
ମାଟି ମା'ର ହିତ ପକ୍ଷେ ରୁହେ
ସବୁ କ୍ଷେତ୍ରେ, ସବୁ ପରିସ୍ଥିତିରେ
ସାଜେ ସତ୍ ପଥର ପଥିକଟିଏ
ସେ ପାଇଁ ବୋଧହୁଏ ଆଜି
ଅନ୍ଧ ଗଳିର ମଣିଷଟିଏ ମୁଁ
ଅନ୍ଧ ଗଳିର ମଣିଷଟିଏ ।
