ଅନ୍ଧ ଭକ୍ତ
ଅନ୍ଧ ଭକ୍ତ
ଚମଡ଼ାକୁ ମୋଟା କର , ହୃଦୟକୁ ପଥର କର
ସ୍ୱାର୍ଥପର ହେଇ କେବଳ ନିଜ କଥା ଚିନ୍ତା କର
ଆପେ ବଞ୍ଚିଲେ ଯାଇ ପରା ବାପ ର ନା ।
ଯିଏ ମରୁଛି ମରୁ
ତୁମେ ଯେମିତି ବି ହେଉ ବଞ୍ଚିରୁହ
ଚିରକାଳ ଏ ଧରାରେ ଏକା ଏକା
ସବୁ ମଣିଷ , କୁକୁର , ଘୁଷୁରୀ , ଗାଇ ,
ଅସରପା ଆଉ ଧର୍ମ ବଞ୍ଚିଥିବା ଯାଏଁ ।
ମଣିଷ ଗୁଡ଼ା ଯେତେ ପୋକମାଛି ପରି ମରିବେ
ଆଉ ମଲା ଯାଏଁ ଡ଼ରି ଡ଼ରି ବଞ୍ଚିବେ
ତୁମର ତ ସେତେ ଲାଭ ।
ଜୀବନ ଅପେକ୍ଷା ମୃତ୍ୟୁର ବେପାରଟା
ଅଧିକ ଲାଭଦାୟକ ଆଉ ସୁରକ୍ଷିତ ବି ।
ଏ ଶଳା ! ତୁଚ୍ଛ ଛୋଟ ଜାତିଆ ବାମନ ଗୁଡ଼ାଙ୍କୁ
ପାରୁ ଯାଏଁ ଡ଼ରେଇ ଧମକାଇ ନ ରଖିଲେ
ଦିନେ ଯେ ତୁମକୁ ପୁରା ଗିଳି ବସିବେ ।
ଗଣତନ୍ତ୍ର ଆଉ ସମାନ ଅଧିକାରର
ମିଛ ପ୍ରତିଶ୍ରୁତିରେ ମତୁଆଲା ହେଇ
ସ୍ୱପ୍ନ ଦେଖିବାକୁ ସାହସ କରିବେ ।
ବାପଗୋସାପ ଅମଳରୁ ସଂରକ୍ଷିତ
ସିଂହାସନକୁ ପାଇବାକୁ ହାତ ବଢ଼ାଇବେ ।
ତା ପୂର୍ବରୁ ସେମାନଙ୍କ ଡେଣାକୁ କାଟି ,
ମେରୁଦଣ୍ଡ ହାଡ଼କୁ ଭାଙ୍ଗି ,
ଆଖିରୁ ନିଦ ଛଡ଼ାଇ ନେଇ
ନିଶାଗ୍ରସ୍ତ ଆଉ ବୁଦ୍ଧିହୀନ ପଙ୍ଗୁ ନକଲେ
ଦମନ କରିବାଟା ଯେ ମୁସ୍କିଲ୍ ହେଇଯିବ ।
ତେଣୁ ସୟନେ ସପନେ ଜାଗରଣେ
ସାମ ଦାମ ଦଣ୍ଡ ଭେଦ ଦେଇ
ଏକ ମାତ୍ର ବିକଳ୍ପ ବିହୀନ ତ୍ରାଣକର୍ତ୍ତା ସାଜ ।
ଏବେ ସବୁ ଆଉ ସମସ୍ତଙ୍କୁ ତ କିଣା ଯାଇପାରେ
ଏଠି ନିଜକୁ ବିକିବାକୁ ସଭିଏଁ ତତ୍ପର
ପଦମର୍ଯ୍ୟାଦାର , ଦାସତ୍ୱର ସୁରକ୍ଷିତ ଶିକୁଳିରେ
ବନ୍ଧା ହେବାକୁ ସଭିଏଁ ଆଗଭର ।
ଅନାୟସରେ ଭାଇ ବନ୍ଧୁର ତଣ୍ଟି କାଟିବା
ଦେଶ , ମା , ଭଉଣୀକୁ ହାଟରେ ନିଲାମ କରିବା
ଏବେ ବୁଦ୍ଧିମତାର ଶ୍ରେଷ୍ଠ ନିଦର୍ଶନ ସବୁ ।
ସେମାନଙ୍କୁ ପୁଣି ଧର୍ଷିତ ହେବାର ଦେଖିବାଟା
ଅତିପ୍ରିୟ ମନୋରଞ୍ଜନ ଭରା ରିଏଲିଟି ସୋ !
ଅସୁମାରୀ ସଭିଙ୍କର ଭୋକ ଆଉ ତୃଷ୍ଣା
ମଣିଷ ତା'ର ବୁଦ୍ଧି ଆଉ ବିଜ୍ଞାନ ଲଗେଇ
ସବୁ କିଛିକୁ ଭକ୍ଷଣ ଯୋଗ୍ୟ କରିସାରିଛି ।
ସମସ୍ତ ରକ୍ତ , ମାଂସ , ଝାଳ ବଦଳରେ
ଦୁଇ ବେଳା ଦୁଇ ମୁଠା ମାଗଣା ଖାଇବାର
ଯିଏ ମିଛ ପ୍ରତିଶ୍ରୁତି ଦେଲା ସେ ହିଁ ଏବେ
ମହାନ ରାଜନେତା , ଦଇବ ବିଧାତା ।
କ'ଣ ଚାହୁଁଛ ତୁମେ ?
ସମସ୍ତ ଶକ୍ତି ଆଉ ସମ୍ଭଳକୁ ଅକ୍ତିଆର କରି
ସଭିଙ୍କୁ ମେଣ୍ଢା କରି ମେଷ ପାଳକ ହେବ ?
କିଏ ତୁମେ ଆଉ କାହାର ପ୍ରରୋଚନାରେ
ଏମିତି ତାଣ୍ଡବଲୀଳା ରଚିବାକୁ ସଂକଳ୍ପ କରିଛ ?
ତୁମେ ହିଁ ତୁମ ନିଜର ଇଶ୍ୱର ,
ନା ଅନ୍ଧକାରର ଅନ୍ଧ ଭକ୍ତଟିଏ ମାତ୍ର ?