ଅନାହୂତ ସ୍ୱର
ଅନାହୂତ ସ୍ୱର
ସ୍ୱଚ୍ଛ ଜାହ୍ନବୀର ଅଧୁରା କାହାଣୀ
ବଖାଣୁଛି ଏକା ଏକା ,
ଅସହଜ ଆଜି ଜୀବନର ପଥ
ବନ୍ଧନ ବି, ଫିକା ଫିକା ।
କ୍ଷତାକ୍ତ ବୁକୁରେ ଶତଧା ଚୁମ୍ବନ
ସମୟ ଦେଇଛି ଯାହା ,
ଆଜି ବି, ଖୋଜୁଛି ଶ୍ରାବଣୀ ଲୁହରେ
କେ' କହିବ ପଦେ ଆହା ।
ଅନୁଭବ ଅନୁଭୂତିରେ ବହୁଛି
କାଳ ବୈଶାଖୀର ବାଆ ,
ଅଶାନ୍ତ ଋତୁରେ ଅନେକ ଯନ୍ତ୍ରଣା
ଶତ ଛିନ୍ନ ଏଇ ହିଆ ।
ଭଙ୍ଗା ହୃଦୟର ମିଛ ମୃଗତୃଷ୍ଣା
ଲକ୍ଷ୍ୟହୀନ ପଥଧାରେ ,
ମଉଳା ହୃଦୟ ତିଳ ତିଳ ଜଳି
ବହିଯାଏ ଲୁହଧାରେ ।
ଲୁହ ହେଉ ଅବା ହେଉ ପଛେ କୋହ
ଅନୁଭବୀ ଅନୁଭୂତେ ,
ସେ ମାପ ଚୁପରେ କେତେ ଯେ, ଯନ୍ତ୍ରଣା
ମାପେ କିଏ ଅନୁରାଗେ ।?
ମାପି କେ' ପାରିବ ଆହତ ହୃଦୟ
ବୁକୁତଳ ବେଦନାକୁ ,
ନିରବ ଆଖିର ଢଳଢଳ ଲୁହେ
ବହୁଥିବା ଯାତନାକୁ ।
ମାପ , ଚୁପ ମଧ୍ୟେ ଶୂନ୍ୟ ଜୀବନର
ବଞ୍ଚିବାର ବାହାନାକୁ ,
ଫେରେଇ ଦେବ କେ' ସ୍ଵାଭିମାନିନୀର
ଅଭିମାନେ ବଞ୍ଚିବାକୁ ।
ଜୀବନ ଯୁଦ୍ଧରେ ଆହତ ପ୍ରାଣର
ଅଶ୍ରୁସିକ୍ତ ଭାବନାକୁ ,
ମାପି କେ' ପାରିବ କୋଉ ନିକିତିରେ
ହୃଦୟର ଶୂନ୍ୟତାକୁ ।
ତିକ୍ତ ଅନୁଭୂତି ଯନ୍ତ୍ରଣାର ସତ୍ତ୍ୱେ
ମିଛ ମାୟାରେ ଆବଦ୍ଧ,
ମୁଁ ମୋ' ପରିଚୟ ବୁଝିବାର ଗ୍ଳାନି
ନିଃଶ୍ୱାସରେ ଅବରୁଦ୍ଧ ।
ଜୀବନ ଯାତନା କଷଣର ଜ୍ଵାଳା
ଅର୍ପଣେ ଲୁହର ସାଥେ ,
ସ୍ୱଚ୍ଛ ଜାହ୍ନବୀର ଅନାହୂତ ସ୍ୱର
ଏକାକିନୀ ଶେଷ ପଥେ ।