ଅନାବିଳ ବନ୍ଧୁତା
ଅନାବିଳ ବନ୍ଧୁତା
ଦୂର ଅବା ପାଖରେ ବନ୍ଧୁ
ରହିଥାଇ ପାରେ
ଜୀବନ ତ ଉଠଇ ଚେଇଁ ବନ୍ଧୁର
ମିଳନରେ ।
ଥାଇପାରେ ରାଗ ରୁଷା
ବହୁ ମାନ ଅଭିମାନ
ଆନ୍ତରିକ ମିଳନେ ରହେ ଅତୁଟ
ବନ୍ଧୁତ୍ୱ ବନ୍ଧନ ।
ବନ୍ଧୁର ଅଭାବେ ସବୁ ମନରେ
ଆସେ ଖାଲି ପଣ
ଅହମ୍ ତତ୍ତ୍ୱ ପ୍ରବେଶିଲେ, ଅଧୁରା
ବନ୍ଧୁତା ହିଁ ଜାଣ ।
ବନ୍ଧୁ ସିଏ ଲୁହକୁ ଯିଏ ପଢିପାରେ
ଦୂରରୁ ଥାଇ ,
ମୁହଁରେ ଆନନ୍ଦର ହସ ଭରିପାରେ
ସ୍ୱାର୍ଥ ନଥାଇ ।
ଆଜି ପରି ଟାଣେନି କେବେ ବନ୍ଧୁ
ଗୋଡ଼ ବନ୍ଧୁର ,
ମୁହେଁ ହସ, ଅନ୍ତରେ ବିଷ, ପଛୁ
କାଟେନି ଚେର ।
ଦେହ ଭିନ୍ନ, ଭାବରେ ଥାଏ ବନ୍ଧୁ
ପ୍ରତି ଶ୍ରଦ୍ଧା ସମ୍ମାନ
ସ୍ୱାମୀ ସ୍ତ୍ରୀ ବନ୍ଧୁତାରେ ଏହି ଭାବନା
ଟି ମୂଖ୍ୟ ଜାଣ ।
ଅନାବିଳ ପ୍ରେମ ସର୍ବଦା ରହିଥାଏ
ହୃଦକନ୍ଦରେ
ଛନ୍ଦକପଟ ଛୁଏଁନି, ସାହସ ଭରୁ
ଥାଏ ବନ୍ଧୁପଣରେ ।
କାହିଁ ବନ୍ଧୁତା, ସିଂହାସନ ଛାଡି
କହ୍ନେଇ ଧାଁଇଯାଏ
ଗରିବ ସୁଦାମାର ଖୁଦଭଜା
ଛଡେଇ ନେଇ ଖାଏ ।
କାହିଁ ହୃଦେ ଅନାବିଳ ସ୍ନେହ
ପ୍ରେମ ସତ୍ୟ ସୁନ୍ଦର ,
ଯାହାର ପ୍ରାପତି ଲାଗି ସଦା
ଚେଷ୍ଟିତ ଦେବତା ନର ।
ସଦା ସ୍ୱାର୍ଥରହିତ ମିତ୍ରତା ସବୁ
ମଣିଷ ଖୋଜିଥାଉ
ବିଷକୁମ୍ଭମ୍ ପୟୋମୁଖମ୍ ବନ୍ଧୁ
ଜୀବନ କେବେ ନ ହେଉ ।
ଆଜି କାଇଁ ଭାରି ଇଚ୍ଛା ହଉଚି ମିଳନ୍ତା
ସେପରି ଏକ ବନ୍ଧୁକୁ
ଶେଷ ବେଳେ ଖଈ ବିଞ୍ଚି ବିଞ୍ଚି ମତେ
ମଶାଣିରେ ଛାଡି ଆସିବାକୁ ।
