STORYMIRROR

Bidyadhar Mantry

Abstract Drama Classics

4  

Bidyadhar Mantry

Abstract Drama Classics

ଅନାବିଳ ବାତ୍ସଲ୍ୟ ମମତା

ଅନାବିଳ ବାତ୍ସଲ୍ୟ ମମତା

3 mins
3


ଗୋପ ରୁ ମଥୁରା ଯାଇ କଂସ ନାଶ

କ୍ରମେ ଦ୍ୱାରକା ଗମନ

ସବୁ ଥାଇ କିନ୍ତୁ ଗୋପ ପୁର ସ୍ମୃତି

ବିଚଳିତ ହେଲା ପ୍ରାଣ

ଯଶୋଦା ମାତାର ବାତ୍ସଲ୍ୟ ମମତା

ସହଜେ ଭୁଲି ନ ପାରି

ମିତ୍ର ଉଦ୍ଧବଙ୍କୁ ଗୋପକୁ ପଠାଇ

ଅବଗତ ଗୋପ ଶିରୀ ।


ଯଶୋଦା ମାତାର କରୁଣ କ୍ରନ୍ଦନ

କାହ୍ନା ଲାଗି ପାଗଳିନୀ 

ଗୋପ ପୁର ଛାଡ଼ି ଗଲା ଦିନ ଠାରୁ

ଖୋଜେ ବାହୁନି ବାହୁନି

କାଲି ପରି ଲାଗେ ସେ ଦିନର କଥା

ପାଶେ ଥିଲା କାହ୍ନା ଯେବେ

ଦଣ୍ଡେ ନ ଦେଖିଲେ ଗୋପପୁର ସାରା 

ଖୋଜା ହୁଏ ଅବିଳମ୍ବେ ।


କୃଷ୍ଣ ମୟ ଏବେ ସାରା ଗୋପ ପୁର

ପାଣି ପବନରେ କାହ୍ନା 

ଏକକୁ ଆରେକ ସମ୍ବୋଧନ ହୁଏ

କାହ୍ନା କୃଷ୍ଣ,କୃଷ୍ଣ କାହ୍ନା

ଯଶୋଦା ମାତାର ଅଙ୍ଗେ ନିଭା କଥା

ଉଦ୍ଧବ ମୁଖରୁ ଶୁଣି

ଦ୍ୱାରକାଧିଶ ଶ୍ରୀକୃଷ୍ଣଙ୍କ ସ୍ମୃତିରେ

ଗୋପପୁର ପ୍ରତିଧ୍ଵନି ।


ଗୋପ ପୁର ଶୋଭା ବୃଦ୍ଧି ହୋଇଥିଲା

କୃଷ୍ଣ ପାଦ ରେଣୁ ଧାରେ

ଦେବକୀ ଗର୍ଭରୁ ଜନ୍ମ ହେଲେ ମାତ୍ର

ସ୍ନେହ ଯଶୋଦା କୋଳରେ 

ଗୁରୁଣ୍ଡି,ଆଣ୍ଠେଇ,ପେଟେଇ କ୍ରମଶଃ

ଠୁକୁଠୁକୁ ଚାଲି ଧାରେ

ଯଶୋଦା ମାତାର ବାତ୍ସଲ୍ୟ ସ୍ରୋତରେ

ଚାଲିଲେ କ୍ଷୀପ୍ର ଗତିରେ

ଗୋପାଳ ପିଲାଙ୍କ ସଙ୍ଗେ ମେଳ ହୋଇ

ମାଟି ଧୂଳି ଧାରେ ଖେଳ

ମାଟି ଖାଉ ଖାଉ ଦେଖିଲେ ଯଶୋଦା

ହୃଦୟେ ହେଲେ ବ୍ୟାକୁଳ

"ଦେଖା ତୋ ମାଟି ଖିଆ ପାଟି ଭିତର ''

ଯଶୋଦା ମାତା କଥାରେ

ସପତ ବ୍ରହ୍ମାଣ୍ଡ ସେ ପାଟି ଭିତରେ

ବାଳ କୃଷ୍ଣ ସହିତରେ

କୃଷ୍ଣ ବାଲ୍ୟ ଲୀଳା କ୍ରମେ ଗୋପ ପୁରେ

ଦିନୁ ଦିନ ରମଣୀୟ 

ବାଳ କୃଷ୍ଣ ବେଶ ମନ ମତାଣିଆ 

ଗାଈ ଚରା ବେଶ ସହ

ଯଶୋଦା ମାତାର ସ୍ନେହ ବୋଳା ସ୍ପର୍ଶ

ଥିଲା ବେଶ ଠାରୁ ବଳି 

ବାହ୍ୟ ଆଡମ୍ବର ସହ ସାଙ୍ଗ ମେଳେ

ଖେଳୁ ଥିଲେ ବନମାଳୀ

ଗୋପର ଗଉଡ଼ ପିଲାଙ୍କ ମେଳରେ 

ଧେନୁ ଚରାଇ ବନରେ

ପିଲା ଦିନେ ବାଳ କୃଷ୍ଣ ବେଶ ଥିଲା

ମାତା ଯଶୋଦା ହାତରେ

ସକାଳୁ ସକାଳୁ ଶୁଣି ହମ୍ୱା ରଡ଼ି

କାହ୍ନା ହେବା ପାଇଁ ବେଶ

ସବୁ ଘର କାମ ପକାଇ ପଛରେ 

ମାତା କରି ଥାନ୍ତି ବେଶ

ମଥାରେ ମୟୂର ଚୂଳ ଦେଇ ଖୋସି 

ଆଖିରେ କଜ୍ଜ୍ଵଳ ଧାର 

ପାଦରେ କଠଉ ହାତରେ ବଇଁଶୀ

ଗଳାରେ ସୁବର୍ଣ୍ଣ ହାର 

କୌତୁକିଆ ବେଶ ନିତି କରି ବାକୁ

ମାତାଙ୍କ ମନରେ ଖୁସି 

ବେଶ କାମ ସରି ଗଲା ପରେ ମାତା

ଥରେ ଦିଅନ୍ତି ଆଉଁସି

ବାଳ କୃଷ୍ଣଙ୍କର ସବୁ ଅଳି ଅର୍ଦ୍ଦଳି

ସହିଛି ମାତା ଯଶୋଦା

ଅଝଟ ପଣିଆ ପୁଣି ଚପଳାମି 

ମାତା ଜାଣୁ ଥିଲେ ସଦା

ମାତାଙ୍କ ମମତା ପୁଣି ବେଶ ସଜ୍ଜା 

କେବଳ କାହ୍ନା ଜାଣିଛି 

ନିତି ବେଶ ହୋଇ ହାତ ରନ୍ଧା ଖାଇ

ବନେ ଧେନୁ ଚରାଇଛି ।


ଧନ୍ୟ ସେ ଯଶୋଦା ଧନ୍ୟ ତା ଜୀବନ

ବାଳ କୃଷ୍ଣ ମନ ଜାଣି

ବେଶ କରି କେତେ ନାଟ ଦେଖ ଅଛି

ମାତା ହିଁ ସ୍ନେହ ରଙ୍କୁଣୀ 

ଦୁଧ ଦହି ସର ଲବଣୀ ଚୋରାଇ

ମିଛ କହି ମାତା ଆଗେ

ଅନ୍ୟ ଘରୁ ଦୁଧ ଲହୁଣୀ ଚୋରାଇ

ଭର୍ତ୍ସନା ବି ଅଭିଯୋଗେ

ଯମୁନା ଘାଟ କୁ ଗଲାବେଳେ ଗୋପୀ

ନଟ ଖଟ କେତେ କଲେ

ଭାଙ୍ଗି କେତେ ଦହି ଦୁଧ ଭରା ହାଣ୍ଡି 

ସଙ୍ଗ ମେଳରେ ଖାଇଲେ

କାହ୍ନା କୁ ଆକଟ ନିମନ୍ତେ ଯଶୋଦା

ହାତ ବାନ୍ଧି ରଖି ଥିଲେ

ଅନ୍ୟ କାମ ସହ ବ୍ୟସ୍ତ ଥିବା ବେଳେ

ଯାମଳା ବୃକ୍ଷ ଭାଙ୍ଗିଲେ

ଯାମଳା ଭଞ୍ଜନ ପ୍ରଚାରିତ ହେଲା 

ସମଗ୍ର ଗୋପପୁର ରେ

ଲୀଳାମୟଙ୍କର ଗୋପ ଲୀଳା କ୍ରମେ

ବ୍ୟାପିଲା ବ୍ରଜ ଧାମରେ ।


ବଇଁଶୀ ବଜାଇ ଗୋପୀ ମନ ମୋହି 

ବସ୍ତ୍ର ହରଣର ଧାରେ

ଜଳରେ ଉଲଗ୍ନ ସ୍ନାନ ବିଧି ଘୃଣ୍ୟ

କହି ରଖିଲେ ସେଠାରେ

ଗୋପର ସୁରକ୍ଷା ବାଳ କୃଷ୍ଣ ଦ୍ଵାରା

କାଳୀୟ ଦଳନ ଧାରେ

ଇନ୍ଦ୍ରଙ୍କ କୋପ ରେ ଜଳ ମଗ୍ନ ଗୋପ

ଗିରି ଟେକି ଆଙ୍ଗୁଠିରେ

ଗିରି ଗୋବର୍ଦ୍ଧନ ଟେକି ଧରି ରଖି

ଗୋପପୁର ହେଲା ରକ୍ଷା

ବାଳ କୃଷ୍ଣ ରୂପେ ନଟ ଖଟ ସହ

ଗୋପ ର ଥିଲା ସୁରକ୍ଷା

କୃଷ୍ଣ ବଳରାମ ଅକ୍ରୁର ସହିତ

କଲେ ମଥୁରା ଗମନ 

ଗୋପ ଲୀଳା ସହ ରାଧା ପ୍ରେମ ଭୁଲି

ମନରେ କଂସ ନିଧନ

ଗୋକୁଳ,ଗୋପପୁର ଓ ବୃନ୍ଦାବନ

ମଧୁବନ,କୁଞ୍ଜବନ

ଯଶୋଦା ଶ୍ରୀରାଧା ବଇଁଶୀ ଗୋପାଳ

ଥିଲା କୃଷ୍ଣଙ୍କ ଜୀବନ


ପ୍ରଭାସ ଯଜ୍ଞର ଆୟୋଜନ କ୍ରମେ

ନିମନ୍ତ୍ରଣ ଆଧାରରେ

ନନ୍ଦ ଓ ଯଶୋଦା ,ଗୋପ ଗୋପାଳୁଣି 

ପହଞ୍ଚିଲେ ହର୍ଷ ଭରେ

ଯଜ୍ଞ ସ୍ଥଳ ପାଖ ଯିବାକୁ ବିରୋଧ

ଜାଣିଲେ ଯଶୋଦା ମାତା

କ୍ରମେ ଅବଗତ ହେଲେ ରାଜମାତା 

ଜନ୍ମଦାତ୍ରୀ କୃଷ୍ଣ-ମାତା 

ଦେବକୀ ଯଶୋଦା ମଧ୍ୟରେ ବିବାଦ

କ୍ରମେ ହେଲା ଘନୀଭୂତ

ଏକକୁ ଆରେକ ଭର୍ତ୍ସନା ରେ ରତ

ନାରଦ ହୋଇଲେ ଜ୍ଞାତ

ସମାଧାନ ସୂତ୍ର କହିଲେ ବୁଝାଇ

ଡାକ ନିଜ ନିଜ ସ୍ୱରେ 

ମାତା ଡାକ ଶୁଣି କୃଷ୍ଣ ପହଞ୍ଚିବେ

ଦ୍ଵନ୍ଦ କିମ୍ପାଇ ମନରେ !


ପ୍ରଥମରେ ରାଜ ମାତା ଦେବକୀଙ୍କ 

ଡାକ ନିଜ ପୁତ୍ର ପ୍ରତି

ଡାକି ଡାକି କ୍ରମେ ଥକି ବି ପଡ଼ିଲେ

ବିଫଳ ହେଲେ ସମ୍ପ୍ରତି

ଯଶୋଦା ମାତାଙ୍କ ସୁଯୋଗ କ୍ରମରେ

ଅଶ୍ରୁ ଭିଜା ନୟନରେ

"ଆ' କାହ୍ନା ଆ',ମୋର ହୃଦୟ ସଙ୍ଖାଳି "

"ଆ' ତୁ' କହ୍ନେଇ ବେଶରେ "

ପ୍ରକମ୍ପିତ ହେଲା କ୍ରମେ ଯଜ୍ଞ ସ୍ଥଳ 

ଗୋପପୁର ଭାବ ବହି 

ବାଳକ ବେଶରେ ଗୋପ କାହ୍ନା ସମ

ଆସିଲେ ଶ୍ରୀକୃଷ୍ଣ ଧାଇଁ 

ଯଶୋଦା ମାତାର ଅନାବିଳ ପ୍ରେମ

ବାତ୍ସଲ୍ୟ ମମତା ଧାରେ

ଦେବକୀ ମାତାର ଆଖି ଖୋଲିଗଲା

ଯଶୋଦା ମାତା ସ୍ନେହରେ 

ଉଭୟ ମାତାଙ୍କୁ ସମ୍ମାନ ସହିତ

ଯଜ୍ଞ କାର୍ଯ୍ୟ ସମାପନ

ଅନାବିଳ ମାତୃ ବାତ୍ସଲ୍ୟ ପ୍ରେମର

ଜ୍ୱଳନ୍ତ ଉଦାହରଣ ।

           


Rate this content
Log in

Similar oriya poem from Abstract