ଅମାନତ
ଅମାନତ
ଧରିତ୍ରୀ କୋଳରେ ଜନମ ଲଭିଲ
ଖେଳିଲ ବୁଲିଲ କେତେ
ଗଡିଲା ସମୟ ବଢିଲା ବୟସ
ଆୟୁଷ ଲଭିଛ ଏତେ ।
ଆୟୁଷ ସରିଲେ ଆସିବ ମୋ ପାଶେ
ତୁମେ ମୋର ଅମାନତ
ମୁଁ ପରା ମଶାଣି ନଦେବି ମେଲାଣି
ଆଦରେ ରଖିବି ସତ ।
ତୁମ ଅବଶେଷ ହେଲେହେଁ ପାଉଁଶ
ମିଶିବ ଦେହରେ ମୋର
କାଳ କାଳ ଥିବ ମୋ ବକ୍ଷରେ ରହି
ମୁଁ ତୁମର ସହଚର ।
ହୁୁଅ ଦୁଃଖୀ ରଙ୍କି ଅବା ହୁଅ ସୁଖୀ
ମୋ ପାଶେ ସର୍ବେ ସମାନ
ସର୍ବଂସହା ମୁହିଁ ଅମାନତ ମୋର
ରଖେ ଦେଇ ସଦା ଧ୍ୟାନ ।
ତୀର୍ଥଯାତ୍ରା କାଳେ କେହି କେହି କେବେ
ଆସିଥାଆନ୍ତି ମୋ ପାଶେ
କାଳ ଭଇରବ ଅଷ୍ଟକକୁ ଗାଇ
ଭୂତ ନିଅନ୍ତି ହରଷେ ।
ଗଙ୍ଗା ଗୟା ଯାଇ ତହିଁ ପିଣ୍ଡ ଦେଇ
ପିତୃଙ୍କୁ ଦିଅନ୍ତି ମୁକ୍ତି
ମୁକତିର ପଥ ଦେଖାଏ ସଦା ମୁଁ
ଏଇ ମୋ ଚରମ ତୃପ୍ତି ।
ଦେଖି ଦେଲେ ମୋତେ ବୈରାଗ୍ୟ ଜନମେ
କାହା କାହା ହୃଦୟରେ
ସଂସାରିଏ ମୋର ଅମାନତ ଆଣି
ଜମା ଦିଅନ୍ତି ପାଶରେ ।
ଧନ ମାନ ଯଶ ସବୁ ଯିବ ନାଶ
ଏକା ହରି ନାମ ସାର
ଅମାନତ ମୋର କହୁଛି ବୁଝାଇ
ତୁଣ୍ଡରେ ସେ ନାମ ଧର ।
