ଅମାବାସ୍ୟାର ଜହ୍ନ
ଅମାବାସ୍ୟାର ଜହ୍ନ


ତୁମେ ଦେଖି ପାରୁଛ କି
ମୋର ଏଇ ଫୁଙ୍ଗୁଳା ହାତକୁ,
ମୋର ଧୁସର କେଶ ମଝିରେ ଲମ୍ବିତ ଶୂନ୍ୟ ସିନ୍ଥି କୁ,
ଅକାଳରେ ଉଜୁଡ଼ି ଯାଇଥିବା ମୋର ଶୂନ୍ୟ କପାଳକୁ,
ଦେଖି ପାରୁଛ କି ମୋ ଆଖି ର ସେଇ ଶୁଖିଲା ନଈ କୁ ,
ଯିଏ ସମୟ ର ହା ହୁତାସ ରେ ଆଜି ଶୁଷ୍କ ବାଲିବନ୍ତ,
ଶୁଣି ପାରୁଛ କି ମୋ ବୁକୁ ରୁ ଉଠି ଆସୁଥିବା ଦୀର୍ଘଶ୍ୱାସ କୁ,
ଯାହା ସୂଚାଇ ଦେଉଛି ମୋ ଆଜିର ଅସହାୟ ପଣିଆ କୁ,
ଅନୁଭବି ପାରୁଛ କି
ମୋର ଲୋଳିତ ଚର୍ମ ତଳେ ଜଳୁଥିବା
ଅବ୍ୟକ୍ତ ବେଦନା ର ଡହ ଡହ ନିଆଁ ର ଲେଲିହାନ ଶିଖା କୁ,
ନା , ନା , ସେ ସବୁ ଦେଖିବାକୁ ତୁମର ହୃଦୟ ଟେ ନାଇଁ,
ତୁମେ ତ ଆଜିର ଯନ୍ତ୍ର ଯୁଗର ହୃଦୟହୀନ ଯନ୍ତ୍ର ମଣିଷ ସବୁ,
ତୁମେ ଈଶ୍ବର ଙ୍କ ସନ୍ତାନ ନୁହଁ ,
ମଣିଷର ହାତ ତିଆରି ରୋବଟ୍ ତୁମେ
ତୁମେ ପାଖରୁ ସ୍ନେହ ,ମମତା, ଦୟା, କ୍ଷମା ଆଶା କରିବା ବୃଥା।
ଜାଣ,!
ମୁଁ ବି ଦିନେ ଥିଲି ତୁମରି ମାନଙ୍କ ଭଳି ମଣିଷ ଜଣେ ,
ହସଖୁସିଆ ପରିବାର ଟିଏ ଭିତରେ ଆନନ୍ଦ ରେ ରହୁଥିଲି,
ବାପ ଘରେ ଅତି ଅଲିଅଳୀ ଝିଅ,
ବାହା ଘର ପରେ ଆସି ସ୍ୱାମୀ, ଶାଶୁଶଶୁର ଙ୍କ ସହିତ
ମୋର ନୂଆ ସଂସାର ଗଢିଲି ,
ଭାରତୀୟ ସେନାବାହିନୀ ର ନାଏକ ସୁବେଦାର୍ ସ୍ୱାମୀ ମୋର
ଦିନେ ଶତ୍ରୁପକ୍ଷ ଆକ୍ରମଣରେ ନିହତ ହେଲେ ଯୁଦ୍ଧ କ୍ଷେତ୍ରରେ,
ଦୁନିଆଁ କୁ ଭଲ କରି ବୁଝି ନଥିବା
ଅଠେଇଶି ବର୍ଷ ର ନାରୀଟି ମୁଁ , ବିଧବା ହେଲି,
ଶହୀଦ ପୁଅ କୁ ନେଇ ଗର୍ବ କରୁଥିବା ପରିବାରରେ
ଶହୀଦ ର ବିଧବା ମୁଁ, ପାଲଟି ଗଲି, ଅଲକ୍ଷଣୀ, କଞ୍ଚା ଡାହାଣୀ,
ଯିଏ ଆସୁ ଆସୁ ସ୍ୱାମୀ କୁ ଖାଇଲା, ପରିବାରର ସୁଖ ସାରିଦେଲା,
କେହି ବୁଝିଲେନି ମୋର ଦୁଃଖ ,
ମାସଟିଏ ସ୍ୱାମୀସୁଖ ଭୋଗିଥିବା
ଅସହାୟା ସ୍ତ୍ରୀ ର ବେଦନା , ଜଳି ପୋଡି ଯାଉଥିବା
ମନ ଆଉ ଦେହ ର ଆର୍ତ୍ତ ଚିତ୍କାର,
ନିରିମାଖୀ ହୋଇ କର୍ମ କୁ ଆଦରି ପଡିରହିଥିଲି ,
ଶହୀଦ ର ସମ୍ମାନ, ଶହୀଦ ର ପୁରସ୍କାର ଆଣିବାକୁ ସାଙ୍ଗରେ ନେଲେ ,
ହେଲେ ବ୍ୟାଙ୍କ ଆକାଉଣ୍ଟ୍ ରେ ଟଙ୍କା ଆସିଗଲା ପରେ,
କ୍ଷୀର ରୁ ମଲା ମାଛି ଭଳି କାଢି ଫିଙ୍ଗିଦେଇ ଚାଲିଗଲେ
ମୋର ନିଅଣ୍ଟିଆ ବାପଘରେ ,
ବାପ ଘର ଅଭାବି ସଂସାର, ବୁଢା ବାପାଙ୍କର ଦୁର୍ବଳ କାନ୍ଧ ଅକ୍ଷମ ଥିଲା
ଯୁବତୀ ବିଧବା ଝିଅର ବୋଝ ମୁଣ୍ଡରେ ମୁଣ୍ଡେଇ ବାଟ ଚାଲିବାକୁ,
କାନ୍ଦି କାନ୍ଦି ମାଆ କତରାଲଗା ହେଲା,
ବାପାଙ୍କ ର ହୃଦ୍ ଘାତ ହେଲା,
ମୁଁ ସଂପୂର୍ଣ୍ଣ ଏକୁଟିଆ ହୋଇଗଲି,
ଏତେ ବଡ ଦୁନିଆଁ ରେ ଭିଡ ଭିତରେ।
ପେଟର ଭୋକ ମେଣ୍ଟାଇବାକୁ ଯାଇ ପରଘରେ ବାସନ ମାଜିଲି
, ତଥାପି ଦିନ ସରିଲାନି, ଏକୁଟିଆ ସ୍ତ୍ରୀ ଲୋକ ଉପରେ ସମସ୍ତଙ୍କର ଲୋଭିଲା ଆଖି ,
କେମିତି ବଞ୍ଚେଇ ରଖିବି ନିଜକୁ ? କେଉଁ କୌଶଳ କରିବି ଆତ୍ମରକ୍ଷା ର ?
ଉଗ୍ରଚଣ୍ଡୀ ହେଲି, ଗାଁ ଗଣ୍ଡା ସାଇ ପଡିଶା ସମସ୍ତେ କହିଲେ “ ରାହାବାଳୀ “
ପାଖ ପଶିଲେନି, ଏକା ଏକା ଜୀବନ ବଞ୍ଚିଲି,
ଏକୁଟିଆ ବାଆଁରା ହୋଇ,
ଦିନ ଗଡି ଚାଲିଲା ତା’ ବାଟରେ
, ଆଉ ମୁଁ ଖୋଜିଲି ମୋ ଜୀବନର ରାହା ।
ଆଜି ମୁଁ ଅନାଥିନୀ ନୁହେଁ, ଏଠିକାର “ଆଶ୍ରୟ ଅନାଥାଶ୍ରମ “ ର ସଞ୍ଚାଳିକା
ମୋ ଭଳି ଅନେକ ଙ୍କୁ କୋଳରେ ଆଶ୍ରୟ ଦେଇଛି,
ଜୀବନ ବଞ୍ଚିବା ଶିଖାଇଛି, ଧନ୍ଦାମୂଳକ ଶିକ୍ଷା ଦେଇ
ଆତ୍ମନିର୍ଭରଶୀଳ ହେବାର ସରଳ ବାଟ ବତେଇଛି,
ଏବେ ମୁଁ ଜୀବନର ଅପରାହ୍ନ ରେ ଉପସ୍ଥିତ,
ବହୁତ ଜୀବନ ଯନ୍ତ୍ରଣା ରହିଛି,
ଶେଷ ସମୟ ରେ ଏତିକି ଇଚ୍ଛା, ହେ ଈଶ୍ବର !
ତୁମକୁ ଏତିକି ପ୍ରାର୍ଥନା କରୁଛି ଆର ଜନ୍ମ ରେ ମତେ ନାରୀ ଟେ ନକର,
ଯଦି ବା କେବେ ଭୁଲ୍ ରେ ନାରୀ କରି ଜନ୍ମ ଦେଲ,
ତେବେ ବିଧବା ହେବାର ଦଣ୍ଡ ଦିଅନାହିଁ,
କାରଣ ଏଠି ବିଧବା ନାରୀ ର ଜୀବନ ବଡ ଦୁର୍ବିସହ,
ବଡ ଦୁଃଖ ମୟ, ବଡ ଯନ୍ତ୍ରଣାସିକ୍ତ , ଛନ୍ଦହୀନ ।।