ଅଳସ ଭାଙ୍ଗେ କାଶତଣ୍ଡି
ଅଳସ ଭାଙ୍ଗେ କାଶତଣ୍ଡି
ଭିଜା ଦେହଟାକୁ ସଜେଇ ହେଲାଣି
ଧରଣୀ ରାଣୀ ସରାଗେ,
ଆକାଶର ସ୍ୱଚ୍ଛ ଅଗଣାକୁ ଦେଖି
ନୀଳ ସ୍ଵପ୍ନ ହୃଦେ ଜାଗେ।
ଗାଢ଼ ସବୁଜିମା ରଙ୍ଗେ ଭରିଲାଣି
ଆଖି ପାଏ ଯେଉଁ ଦିଗେ,
ଆଖି ମିଟି ମିଟି କରି ପୁଷ୍ପ ରାଜି
ଦୋଳିଲେଣି ନାନା ରଙ୍ଗେ।
ଶୁଭ୍ର ଚାମରକୁ ଝୁଲାଇ ଝୁଲାଇ
କାଶତଣ୍ଡି ନିଦ୍ରା ତେଜି,
ଆଖି ମଳି ମଳି ଅଳସ ଭାଙ୍ଗଇ
ଶ୍ଵେତ ସପନରେ ମଜ୍ଜି।
ଅଙ୍ଗେ ଅଙ୍ଗେ ତାର ରୂପେଲି ଉଲ୍ଲାସ
କେବେ ଉଠେ କେବେ ଲୋଟେ,
ମାଆ ବିଜେ ହେବା ବେଳ ଆସିଲାଣି
ଆନନ୍ଦର ଧାରା ଛୁଟେ।
କପା ସମ ଶୁଭ୍ର ମେଘ ଖଣ୍ଡ ଦେଖି
ସ୍ୱଚ୍ଛ ଘନ ନୀଳାମ୍ବରେ,
ସତେ କି ତା ପ୍ରତିବିମ୍ବ ଶୋଭା ପାଏ
ଦେଖି ନାଚେ ଆନନ୍ଦରେ।
ନଈଟିଏ ପାଖ ଦେଇ ଯାଏ ବହି
ଛଳ ଛଳ ଗୀତ ଗାଇ,
ଇଶାରାରେ କିଛି କହିଯାଏ ବୋଧେ
କାଶଫୁଲ ଯାଏ ଲାଜେଇ।
ଦୂରୁ ସୃଷ୍ଟି ହୁଏ ଐରାବତ ଭ୍ରମ
ଇନ୍ଦ୍ର ସତେ ବିଜେ କରି,
ନିରେଖି ଦେଖନ୍ତି ମର୍ତ୍ତ୍ୟ ସାଜସଜ୍ଜା
ମା ଦୁର୍ଗା ଆସିବେ ବୋଲି।
ଏ ଚାରୁ ଦୃଶ୍ୟର ଅବଲୋକନରେ
ସବୁ ସ୍ଵପ୍ନ ହୁଏ ଶେଷ,
ଦେଖିବାକୁ ଆଉ ବାକି ରହେ ନାହିଁ
କ୍ଷଣକରେ ପୁରେ ଆଶ।
ସପନର ଶେଷେ କୃପା ବରଷିବ
ମାତୃ ଦରଶନ ଲଭି,
ସେଥିପାଇଁ ହୃଦ ଅଥୟ ହେଲାଣି
ବାଜେ ମର୍ଦ୍ଦଳ ଦୁନ୍ଦୁଭି।
ପାର୍ବଣର ଆଗମନୀ ବାଜିଲାଣି
ଶୁଭେ ସିଂହ ପଦ ଶବ୍ଦ,
ସିଂହ ବାହିନୀ ମା ଦୁର୍ଗତି ନାଶିନୀ
ଢ଼ାଳି ଦେବେ ଆଶୀର୍ବାଦ।