ଅଳି
ଅଳି
ହେ ବାରିଦ ,ବୋହି ନିଅ
ତୁମ ସୂକ୍ଷ୍ମ ଜଳ କଣିକାରେ
କେଇ ପଦ ମୋ ଭାଷାର - ବର୍ଷା
ମୋ ପ୍ରିୟା ରାଇଜେ
ମୋ ରାଇଜ ହେଉ ଶୁଷ୍କ,ହେଉ ମରୁଭୂମି
ଭସାଇ ଦିଅ,ମୋ ପ୍ରିୟା ରାଇଜ
ମୋ ଭାଷା - ବର୍ଷାର ପ୍ରବଳ ଧାରାରେ ।
ହେ ସାଗର, ପାରାବାର ତୁମେ
ଗର୍ଜନ ରେ ଭୀତତ୍ରସ୍ତ ଏ ଭୀରୁ ସମାଜ
ନେଇ ଯାଅ,ମୋ ପ୍ରେମ ଲହରୀର ସୁପ୍ତ ଗର୍ଜନତା
ତୁମ ଉତାଳ ଲହରୀ ଭିତରେ ରଖି
ପହଞ୍ଚାଇ ମୋ ପ୍ରିୟା ରାଇଜ କୂଳରେ
କମ୍ପାଇ ଦେବାକୁ ତା କର୍ଣ୍ଣ ଗହ୍ଵର ।
ହେ ପୂର୍ଣ୍ଣିମାର ଚାନ୍ଦ, ରେଣୁ ତୁମ ଅତ୍ୟନ୍ତ ଶୀତଳ
ଶୀତଳ ପରଶ ପ୍ରତି ଅଙ୍ଗ ଲ
ତିକା ରେ
କି କୁହୁକ ରଖିଛ ପାଶରେ!
ପାରିବକି, କରାଇ ଶୀତଳ
ମୋ ପ୍ରିୟାର ମାନ ଅଭିମାନ ।
ହେ ଭ୍ରମର,ଗୁଣୁଗୁଣୁ ତାନ ତୁମ ପ୍ରେମର ସନ୍ତକ
ପାରିବକି,ସେଇ ଗୁଣୁଗୁଣୁ ତାନେ
ମୋ ମନ ବୀଣା ର ଝଙ୍କାର ସ୍ୱର ରୁ
ବୋହି ନେଇ,କେଇ ପଦ
ମୋ ପ୍ରିୟାର ବନ ଉପବନ ପରିଧି ଭିତରେ
ମୋ ବେଦନା ହୋଇଯିବ ଲଘୁ ।
ରହି ଏ ପ୍ରକୃତି, ଏ ସମାଜ କୋଳେ
ନିର୍ବାସନ ,ମୋ ପ୍ରିୟାର ପ୍ରେମ ରାଇଜ ରୁ
ସବୁ ଥାଇ ଏ ହୃଦୟ, ଏ ଜୀବନ
ନିଃସଙ୍ଗ ଅବସ୍ଥା
ଅଳି ତୁମକୁ,ହେ ପ୍ରକୃତି ଦୂତଗଣ
ମୋ ପ୍ରିୟା ରାଇଜରୁ ଘେନିଣ ବାରତା
ହୁଅ ସହାୟକ, ମଧୁମୟ ହେଉ ନିଃସଙ୍ଗ ଜିବନ।।