ଅକୁହା କଥା
ଅକୁହା କଥା
ଛନ୍ଦକପଟ ବୁଝି ପାରେ ନାହିଁ
ନିଜର ଭାବିଲି ସବୁ
ସେଥିପାଇଁ ଜୀବନର କିଛିଦିନ
ଦୁଃଖ ଭୋଗେ ମହାପ୍ରଭୁ ।
କେତେବେଳେ ଲୋଭ ବଶ କରିନିଏ
କେତେବେଳେ କାଢିଦିଏ
କେଜାଣି କାହିଁକି ଜୀବନ ଟା ଖାଲି
କଲବଲ ନିତି ହୁଏ ।
ସମୟ ନଦୀର ଅଫେରା ସ୍ରୋତରେ
ଭାସି ଚାଲେ ଏ ଜୀବନ
ଯେତେ ଚାହିଁଲେ ବି ଭୁଲି ହେଉନାହିଁ
ଜୀବନର କିଛି କ୍ଷଣ ।
ସ୍ମୃତି ସାଗରର ଶାମୁକା ଭିତରେ
ବିଶ୍ୱାସ ମୁକ୍ତା ଖୋଜୁଛି
ମୁକ୍ତା ବଦଳରେ ଖାଲି ମାଳ ମାଳ
ଅବିଶ୍ୱାସ ପଥର ମିଳୁଛି ।
ଅକୁହା ବେଦନା କହି ହୁଏ ନାହିଁ
ହୁଏ ନାହିଁ ପୁଣି ସହି
ସଳିତାର ଦୁଃଖ ଦୀପ ଏକା ବୁଝେ
ଆଉ କେ ବୁଝିବ ନାହିଁ ।
ବୟସର ପୂର୍ବାହ୍ନରେ ଉପସ୍ଥିତ
ଖୋଜେ ମନ ତଳ ସ୍ମୃତି
ସ୍ମୃତିରେ ରହିଛି କେତେକେତେ ଆଶା
କେତେ ମିଛ ପ୍ରତିଶୃତି ।
ଅନେକ ଅକୁହା କଥା ରହିଅଛି
ସବୁ କହି ହେଉନାହିଁ
ମୂଳରୁ ପାହାଚ ଖଜୁରୀର ଗଛ
ଗୁଣ ତା ଗାଇବି କାହିଁ ।
ସବୁ ଆଶା ମୋର ମଉଳି ଯାଇଛି
ତଥାପି ମୁଁ ଅଛି ଖୁସି
ରାଧାମାଧବ ମୋ ଦେଇଛନ୍ତି ଯାହା
ସେତିକିରେ ମୋର ଶାନ୍ତି ।
