ଅକୁହା କଥା
ଅକୁହା କଥା
ଅକୁହା କଥା କହି ହୁଏନା ବେଦନା ଘାରେ ମନେ
ଅଜାଗା ଘାଆ ଦେଖି ହୁଏନା ଦେଖେଇ ନୁହେଁ ଅନ୍ୟେ |
ଲୁଚି ରହେନା ପାପଟି କେବେ ହୁଅଇ ପରିସ୍ଫୁଟ
ସାତ ତାଳର ପଙ୍କ ଫୁଟାଇ ପଙ୍କଜ ହୁଏ ଦୃଷ୍ଟ |
ରତନପୁର ଗ୍ରାମରେ ଘର ସୁଦାମ ରାଉତରା
ପୁଅର ନାମ ସିଦ୍ଧାନ୍ତ ତାର ପାଞ୍ଚ ବର୍ଷର ପରା |
ପତ୍ନୀ ମଞ୍ଜୁଳା ହୃଦଘାତରେ ଗମନ୍ତେ ପରପାରି
ନୂତନ ପତ୍ନୀ ଗ୍ରହଣ କଲା ନାମ ତା ସୁକୁମାରୀ |
ସୁକୁର ଗର୍ଭୁ ଜନ୍ମିଲା ସୁତା ସୁନ୍ଦରୀ ଶକୁନ୍ତଳା
ବଢ଼ିଲା ସିଏ ଅତି ଆଦରେ ଯେସନେ ଚନ୍ଦ୍ରକଳା |
ଗୋଟିଏ ପୁଅ ଗୋଟିଏ ଝିଅ ହସି ଉଠିଲା ଘର
ଆଉ ସନ୍ତାନ ଚାହିଁଲେ ନାହିଁ ଦମ୍ପତି ପରସ୍ପର |
କଲେଜେ ପାଠ ପଢ଼େ ସିଦ୍ଧାନ୍ତ ବାଇକି ନେଇଯାଏ
ଶକୁନ୍ତଳାର ସପ୍ତମ ଶ୍ରେଣୀ ଭଲ ସେ ପଢୁଥାଏ |
ସାବତ ପୁଅ ସାବତ ମାଆ ନଥିଲା ଭେଦଭାବ
ଆପଣା ପଣ ସ୍ନେହ ବନ୍ଧନ ସରଗ ବଇଭବ |
ସିଦ୍ଧାନ୍ତ ମନେ ପାପ ଲାଳସା ହୋଇଲା ଅଙ୍କୁରିତ
ଭଉଣୀ ରୂପ କଲା ମୋହିତ ସାବତ ଭାବି ଚିତ୍ତ |
ବାପ ମାଆଙ୍କ ଅନୁପସ୍ଥିତି ଭଗିନୀ ଏକା ଘରେ
ଏହି ସୁଯୋଗ ସୁଉପଯୋଗ କରିବ ଚିନ୍ତା କରେ |
ପାଶକୁ ଯାଇ ବସିଲା ସେହି ଉଦ୍ଦେଶ୍ୟ କରୁ ବ୍ୟକ୍ତ
ଜିଭ କାମୁଡି ଉଠିଲା ବାଳୀ ଯିବାକୁ ସମୁଦ୍ୟତ |
ଜବର ଦସ୍ତ ଧରି ତା ହସ୍ତ ପକାଇଦେଲା ତଳେ
ଧମକ ଦେଇ ରଖେ ଡରେଇ ଧର୍ଷଣ କରେ ବଳେ |
କାନ୍ଦେ କୁନ୍ତଳା ଯେତେ ନେହୁରା ହେଲା ଛାଡ଼ିଲା ନାହିଁ
ଅନଙ୍ଗ ବାଣେ ରତି ସାଧନେ ବିବେକ ଜ୍ଞାନ କାହିଁ??
ସରିଲା କାମ ଆସେ ଶରମ ଲଜ୍ଜିତ ଅନୁତପ୍ତ
ସିଦ୍ଧାନ୍ତ ଏବେ ନେଲା ସିଦ୍ଧାନ୍ତ ଧରିଲା ଭଗ୍ନୀ ହସ୍ତ |
ମାଗିଲା କ୍ଷମା ଏକଥା ଯଦି କରିବୁ ପରକାଶ
ଜୀବନ ହାରି ଦେବି ସେକ୍ଷଣି ମନରୁ ହର ପ୍ରାସ |
ଅକୁହା କଥା ମନରେ ବ୍ୟଥା ଉଭୟେ ହନ୍ତସନ୍ତ
କ୍ଷଣିକ ଉତ୍ତେଜନା ପାଇଁକି ଅଲିଭା ପାପ କ୍ଷତ |
କେହି କାହାର ମୁହଁକୁ ଆଉ ପାରୁ ନଥିଲେ ଚାହିଁ
ପିତା ମାତାଙ୍କ ପ୍ରତ୍ୟାଗମନ ଦୁଃଖୀ ଭଉଣୀ ଭାଇ |
ମନ କାହିଁକି ଯାଇଛି ସୁଖୀ ପଚାରି ଦେଉ ମାତ
ଭାଇ ଚାହିଁଲା ଭଉଣୀ ମୁଖ କାନରେ ଦେଇ ହାତ |
ଏହି କଳଙ୍କ କାଳ କାଳକ ଜାଳିଲା ବେନି ମନ
ଯେତେ ପ୍ଲାବିଲେ ଗଙ୍ଗା ଜଳରେ ନହେବ ନିର୍ବାପନ |
