ଅକୁହା ବ୍ୟଥା
ଅକୁହା ବ୍ୟଥା
ଦଶଟା ବାଜିଲେ କାନ୍ଧରେ ବସ୍ତାନୀ
ଖାଲି ପାଦେ ଯାଉଥାଏ
ପାଣି କାଦୁଅରେ ଖେଳି ଖେଳି ପୁଣି
ବିଦ୍ୟାଳୟରେ ପହଞ୍ଚେ ।
ଖେଳ ଛୁଟୀ ହୁଏ ଖାଇବା ପାଇଁ କି
ଘରେ ଶିଶୁ ଗଣ ଯା'ନ୍ତି
ଘରେ ଯାଇ ଦେଖେ ବାପା ଶୋଇଛନ୍ତି
ଉପାୟ କିଛି ନ ପାଇ ।
ମାଆ ଆଖି ଥିଲା ଲୁହ ଛଳ ଛଳ
ଅସହାୟତାର ଛାପ
ପାଣି ଗିଲାସରେ ମା' ହାତ ପରଶେ
ଭୁଲୁଥିଲି ମୋର ଦୁଃଖ ।
ଅକୁହା ବ୍ୟଥାକୁ ସାଙ୍ଗରେ ନେଇ ମୁଁ
ବିଦ୍ୟାଳୟେ ଫେରୁଥିଲି
ବାପା ମାଆଙ୍କର ଅସହାୟତାକୁ
ଅଙ୍ଗେ ମୁଁ ନିଭାଉଥିଲି ।
ନୂଆ ଶ୍ରେଣୀକୁ ମୁଁ ଉତ୍ତୀର୍ଣ୍ଣ ହୋଇଲେ
ପୁରୁଣା ବହିର ଖୋଜା
<p>ଖାତା ବହି ପାଇଁ କେତେ ହନ୍ତସନ୍ତ
ଅକୁହା ଥିଲା ସେ ବ୍ୟଥା ।
ତଥାପି ମନରେ କ୍ରୋଧ ଅବା ରାଗ
କେବେ ଜାତ ହୋଇନାହିଁ
ଅକୁହା ବ୍ୟଥା ମୋ ପଢିବା ଇଚ୍ଛାକୁ
ଦମନ କରି ପାରିନି ।
ଅକୁହା ବ୍ୟଥାର ଚୌହଦୀ ଉପରେ
ମୋ ଧୈର୍ଯ୍ୟ ମହଲ ଗଢ଼ା
ସେ ମହଲ ମୋତେ ଦୃଢ କରି ଅଛି
ଆଜି ମୁଁ ହୋଇଛି ଛିଡା ।
ବାପା ମାଆଙ୍କର ଅସହାୟତା ଯେ
ବ୍ୟଥିତ ଯେ କରିଥିଲା
ହେଲେ ଭାଙ୍ଗି ନାହିଁ ବ୍ୟଥିତ ହୋଇ ନି
ବ୍ୟଥା ଯେ ପ୍ରେରିତ କଲା ।
ଅକୁହା ବ୍ୟଥା ମୋ ଅତି ଆପଣାର
ପାଦେ ପାଦେ ଶିକ୍ଷା ଦିଏ
ସେଇ ଶିକ୍ଷା ପୁଣି ମୋ ବର୍ତ୍ତମାନର
ଆଶୀର୍ବାଦ ହୋଇଯାଏ ।