ଅକୁହା ବେଦନା
ଅକୁହା ବେଦନା
ଅକୁହା ବେଦନା କୁହୁଳା ନିଆଁ ସେ
ମନରେ ଉଠଇ ଧୂଆଁ
ରୁଦ୍ଧ ନିଃଶ୍ଵାସରେ କୃଦ୍ଧ ହୁଏ ନାହିଁ
ଆଦରି ନିଏ ବେଦନା ।
ଅକୁହା ବେଦନା ମାଆ ଛାତି ତଳେ
ଗୁମୁରି ଗୁମୁରି କାନ୍ଦେ
ନିଜ ପେଟ କାଟି ପେଟ ଭରୁଥିଲା
ଆଜି ପଡ଼ି ପାଉଥାଏ ।
ସନ୍ତାନ ପାଇଁ କି ଲଢୁଥିଲା ଦିନେ
ଆଜି ହେଲା ଅପାରଗ
ଅଲୋଡା ହୋଇଲା ସିଏ ପୁଣି ଆଜି
ତା କଥା ଲାଗଇ ବିଷ ।
ଗୁମୁରି କାନ୍ଦୁଛି ଲୁହକୁ ଲୁଚାଇ
ଘର ଠିକଣା ହଜିଲା
ଅକୁହା ବେଦନା କାହାକୁ କହିବ
କିଏ ବା ଶୁଣିବ ଭଲା ।
ଅକୁହା ବେଦନା ପିଡା ଛାତି ତଳେ
ନିଜ ପାଇଁ ତ ଭାବିନି
ତା ସପନ ସିନା ସତ ହୋଇଅଛି
ସେ ସପନେ ନିଜେ ନାହିଁ ।
ତା ସପନ ଆଜି ଆକାଶ ପହଁରେ
ନିଜେ ଅଜଣା ରାସ୍ତାରେ
ବସା ଟିଏ ନାହିଁ ଆଶା କି କରିବ
ପେଟ ପାଇଁ ପାଳି ହୁଏ ।
ଜନ୍ମ ଦାତା ଆଜି ଅଲୋଡା ଅଖୋଜା
ଜରାଶ୍ରମ ରାସ୍ତା ଦିଶେ
ଅକୁହା ବେଦନା କାହାକୁ କହିବ
ପ୍ରତିଟି ମୁହୂର୍ତ୍ତେ ମରେ ।
ଫଳନ୍ତି ସମୟ ଦେଇ ଦେବା ପରେ
ଅଲୋଡା ସେ ହୋଇଗଲା
କେତେ ଦେଲା ଅବା କେତେ ହରାଇଲା
କାହିଁକି ଭାବିବ ଭଲା ।
ଯାହା ପାଇଁ ଦିନେ କଳି କରୁଥିଲା
ସିଏ ହାତ ଉଠାଉଛି
ଅକୁହା ବେଦନା କାହାକୁ କହିବ
ମନ ଦହନେ ଜଳୁଛି ।
ରକତ ସଂପର୍କ ରକ୍ତ ବୁହାଉଛି
କହିବ କାହା ଆଗରେ
ଅକୁହା ବେଦନା ଛାତି ତଳେ ଜମା
ଅଦେଖା ଲହୁ ଯେ ଝରେ ।
ପ୍ରତିଟି ପ୍ରାଣରେ ପ୍ରତି ସଂପର୍କ ଯେ
ବେଦନାରେ ଭାରା କ୍ରାନ୍ତ
ହୃଦୟ କୋଣରେ ରକତ ଝରୁଛି
କିଏ ପୋଛିବ କୁହ ତ ।
ଶିକ୍ଷା ଦେଉ ଅଛେ ଜୀବନ ଜୀଉଁଛେ
ସଂସ୍କାର ଦେବା ଶିଖିବା
ଶିକ୍ଷା ସଂସ୍କାରର ମହା ମିଳନରେ
ବେଦନା ରିକ୍ତ ହୋଇବା ।
ଅକୁହା ବେଦନା ମନ ଜାଳି ଦିଏ
ଅଗମ୍ୟ ଜୀବନ ପଥ
କାହା ବେଦନାର କାରଣ ହେବାନି
କରିବା ଆଜି ଶପଥ ।
