ଅକ୍ଷତ ପଥର
ଅକ୍ଷତ ପଥର
ତୁମର କେଇପଦ କଥାରେ
ଯେତେବେଳେ ଚମ୍ପା ଚମେଲି ଟିଏ
ମହକି ଉଠିଲା,
ଅନେକ ସମ୍ଭାବନା ର ଆଶାରେ
ଯେତେବେଳେ ମୁଁ ନିଜକୁ ବଦଳାଇ ଦେଲି ,
ତୁମେ ପୁଣିଥରେ ସେଇ
ପୁରୁଣା ଠାଣି ରେ
ବାକି ଜୀବନ ର ଅଧ୍ୟାୟ କୁ
ଲେଖିବାକୁ ଚାହିଁଲ।
ତୁମ ଚିତ୍ରପଟ କୁ
ନିର୍ବାକ୍ ହୋଇ ଚାହିଁଥିଲି ଥରେ
କିଛି ଉଦାସିଆ ହାୱା
ମୋତେ ଛୁଇଁ ଚାଲିଗଲା
ଦୀର୍ଘ ନିଶ୍ଵାସ ରେ
ବସନ୍ତ ର ପୂର୍ବରୁ ରଙ୍ଗ
ହଜିଗଲା ବେଳେ
ପତ୍ର ଝଡା ଟିଏ ଆସିଗଲା ।
କୁଳୁ କୁଳୁ ଝରଣା ର
ଥିରି ଥିରି ଧାର
ଅକ୍ଷତ ପଥର କୁ କ୍ଷତ କରିଦେଲା ।
ନଦୀ ର ଧାର ଟିଏ ବୋହିଗଲା ବେଳେ
ଶବ୍ଦ ଟିଏ ଶୁଭିଲା
କେଉଁ ଶୁଖିଲା ପତ୍ର ର
ଶୁଖିଯିବା ଜୀବନ ଭିତରେ
ତା' ଉଦ୍ ବେଗ ର କାହାଣୀ ସହ
ମୋ ନିରବ ମନ ର
କିଛି ସାମଞ୍ଜସ୍ୟ ଥିଲା।
ସବୁଜ ରୁ ହଳଦିଆ ରଙ୍ଗ ର
ସେଇ ଦୀର୍ଘ ପରିବର୍ତ୍ତନ
ଗାଢ଼ ହଳଦିଆ ରଙ୍ଗ ର
ମୌନତା ପରେ
ଝଡ଼ି ଯିବାର ଅବଶେଷ ପରେ
କ୍ଷଣ ଭଙ୍ଗୁର ଆଶା ଟିଏ ନେଇ
ନଦୀ ର ଧାରରେ
ଭାସି ଗଲା ବେଳେ
ମୋ କଲମ ରେ ପଂକ୍ତି ଟିଏ
ଲେଖି ହୋଇ ଗଲା।
ମୁଁ ଯେ ଶୁଖିଲା ପତ୍ର
କାହାର ଭାବନା ନେଇ
ମୁଁ ଆଜି ଭାସି ଯାଉଛି
ଏ ଅଜ୍ଞାତବାସ ର ଠିକଣା ଟା ବି
ତୁମକୁ ପର ଜନ୍ମ ରେ ଦେବି
ଯେବେ ପୁଣିଥରେ ଏ ଜୀବନ
ଜନ୍ମ ହେବ।
