ଅକାଳ ମୃତ୍ୟୁ
ଅକାଳ ମୃତ୍ୟୁ
ମୃତ୍ୟୁ ଗୋ ତୁମେ ଚିରନ୍ତନ ସତ୍ୟ
ତୁମେ ଯେ ଚିର ଶାଶ୍ୱତ
ଜନମ ସହିତ ତୁମ ନାମ ବନ୍ଧା
ଜୀବନର ମହାସତ୍ୟ ।
ମୃତ୍ୟୁ ଗୋ ତୁମକୁ କରେ ପ୍ରଣିପାତ
ସୁସ୍ଵାଗତ ମଧ୍ୟ କରେ
ହେଲେ ଅସମୟେ ଆସନା ଗୋ ତୁମେ
ଜୀବନେ ବେଦନା ଭରେ ।
ଅକାଳେ ମାଆର କୋଳ ଶୂନ୍ୟ କରି
ସନ୍ତାନ ନିଅନା ହରି
ମାଆର ପଣତ ଭିଜାଇ ଦିଅନି
କ୍ରିୟା କାରଣ ଦର୍ଶାଇ ।
ମୃତ୍ୟୁ ଗୋ ତୁମେ ଏମିତି ଆସନି
ଆୟୁଷ ବାହାନା କରି
ନ୍ୟୂନତମ ଏକ ଆୟୁଷ ପୂର୍ବରୁ
ଆସନା ମରତପୁରୀ ।
ମୃତ୍ୟୁ ଗୋ ତୁମେ ଏମିତି ଆସନା
ବିଭୀଷିକାମୟ ହୋଇ
ବିଭତ୍ସତା ଦୃଶ୍ୟେ ଶାଶ୍ଵତ ରୂପକୁ
ଲୁଚାଇ ଗୋ ଦିଅ ନାହିଁ ।
ଅସମୟେ ଆସି ପୋଛି ଦିଅନା ଗୋ
ସୁହାଗ ସିନ୍ଦୂର କା'ର
ଭଙ୍ଗାଚୂଡି ସଙ୍ଗେ ଭାଙ୍ଗି ଦିଅ ନାହିଁ
କାହା ସ୍ୱପ୍ନର ମିନାର ।
ମୃତ୍ୟୁ ଗୋ ତୁମେ ଛଡାଇ ନିଅନି
ପିତାର ଆଶା ବାଡିକୁ
ଅସମୟେ ତୁମେ ଦିଅନି ହଜାଇ
ଭଉଣୀ ସ୍ନେହ ରାକ୍ଷୀକୁ ।
ମୃତ୍ୟୁ ଗୋ ତୁମେ ଅକାଳେ ଆସନି
ପରିବାରକୁ କନ୍ଦାଇ
ସଖା ସହୋଦରେ ଦିଅ ନାହିଁ ବ୍ୟଥା
ସମ୍ବଳ ନନିଅ କାଢ଼ି ।
ମୃତ୍ୟୁ ଗୋ ତୁମେ ଶାଶ୍ଵତ ଅଟ
ବିକଟାଳ ହୁଅ ନାହିଁ
ତାଣ୍ଡବ ରଚାଇ ଶବ ଗଦା ପରେ
ତୁମେ ଆଉ ହସ ନାହିଁ ।
ମୃତ୍ୟୁ ଗୋ ତୁମେ ଦେଖି କି ପାରୁନ
ଲୌହ ଦାନବର ଲୀଳା
ସେ ବିଭତ୍ସତାରେ ତୁମ ସୁନ୍ଦରତା
ହୋଇ ଯାଇଛି ମଇଳା ।
ମୃତ୍ୟୁ ଗୋ ତୁମେ ଦେଖି କି ପାରୁନ
ହାଃ ହୁତାଶର ନିଆଁ
ଅକାଳେ ଲିଭିଛି ମଥାର ସିନ୍ଦୁର
ପିତା ଦେଖେ ପୁତ୍ର ରାହା ।
ଶବ ଗଦା ତଳେ ସନ୍ତାନ ଖୋଜୁଛି
ମାଆର ପଣତ ସ୍ପର୍ଶ
ଶବ ଗଦା ତଳୁ ଚିହ୍ନା ପଡ଼ୁନାହିଁ
କିଏ ଦେବ ତା' ସନ୍ଦେଶ ।
ମୃତ୍ୟୁ ଗୋ ତୁମେ ଆସିବା ନିଶ୍ଚିତ
ଚିନ୍ମୟୀ ରୂପରେ ଆସ
ଗ୍ରହଣ ଯୋଗ୍ୟତା ମଣ୍ଡି ହୋଇ ତୁମେ
ଶାଶ୍ଵତ ବାର୍ତ୍ତା ବରଷ ।
ମୃତ୍ୟୁ ଗୋ ତୁମେ ମୃତକ ଯାତ୍ରୀଙ୍କୁ
ଶାଶ୍ଵତ ଧାମେ ନିଅ
ଚିକିତ୍ସା ଜଡିତ ସମସ୍ତ ଯାତ୍ରୀଙ୍କୁ
ନିରାମୟ ବାର୍ତ୍ତା ଦିଅ ।
ମୃତ୍ୟୁ ଗୋ ତୁମେ ସୃଷ୍ଟି କରତାଙ୍କୁ
ଜୀବନ ସନ୍ଦେଶ ଦିଅ
ସନ୍ତାପହାରୀ ଯେ ସନ୍ତାପ ହରନ୍ତୁ
ମୋ ପ୍ରଣିପାତ ଜଣାଅ ।
