ଅଦୃଶ୍ୟ ବନ୍ଧନ
ଅଦୃଶ୍ୟ ବନ୍ଧନ
ଆଖିର ସ୍ବପ୍ନରେ ଦେହର ତନ୍ତ୍ରୀରେ
ସୁପ୍ତ ସପ୍ତରଙ୍ଗେ ତୁମରି ସ୍ବର।
ମୁଗ୍ଧ ଅନୁରାଗେ ଅପୂର୍ବ ସଂଯୋଗେ
ସ୍ବର୍ଗୀୟ ସ୍ନିଗ୍ଧତା ତୁମେ ହିଁ ମୋର ।୧।
ମାନ ଅଭିମାନେ ଅଦୃଶ୍ୟ ବନ୍ଧନେ
ଚନ୍ଦନ କସ୍ତୁରୀ ତୁମ ପରଶ।
ଅଫୁଟା ବେଦନା ଉପଚାର ତୁମେ
ଋଦ୍ଧ ବାତାୟନେ ତୁମେ ମୋ ଶ୍ବାସ ।୨।
ମଧୁ ଆଶ୍ଳେଷରେ ରାତିର ଛାତିରେ
ମୁଦ୍ରିତ ଚକ୍ଷୁରେ ତୁମେ ଆବଦ୍ଧ।
ତୁମ ବାହୁଛାୟା ପ୍ରତିଫଳନରେ
ଏକାତ୍ମତା ମନ୍ତ୍ର ହୁଅଇ ସିଦ୍ଧ ।୩।
ଭାବନା ଅଶ୍ରୁରେ ଶବ୍ଦ ସୁରଭିରେ
ପ୍ରତି ଲୋମକୂପେ ତୁମରି ଛନ୍ଦ।
ବାସ୍ନାୟିତ ହୁଏ ମନ ଉପକୂଳ
ତୁମ ପ୍ରୀତିବାକ୍ୟ କରେ ବିମୁଗ୍ଧ।୪।
ନିରୋଳା ମୁହୂର୍ତ୍ତେ ଶୂନ୍ୟତାର ସ୍ପର୍ଶେ
ସିକ୍ତ ଅଭିସାରେ ନୀଳ ନିର୍ବାଣ।
ଇପ୍ସିତ ପସରା ପ୍ରୀତି ଫଲଗୁ ଧାରା
କ୍ରୁର ନିଦାଘରେ ତୁମେ ଶ୍ରାବଣ।୫।
ଆତୁର ନୟନ ତନ୍ଦ୍ରାଭିଜା ସ୍ବପ୍ନ
ବେସୁରା ବୟସେ ଅଳପ ତାତି।
ସ୍ବପ୍ନର ମାନସୀ ସ୍ମୃତି ନଗରୀରେ
ନୀରବେ କରୁଛି ଚୋରା ପୀରତି।୬।

