ମନଚୋର
ମନଚୋର
ଇପ୍ସିତ ପସରା ପ୍ରୀତି ଫଲ୍ଗୁଧାରା
ମୋ ଆଖି ଅଞ୍ଜନ ତୁମେ
ଅର୍ଘ୍ୟ ଉପଚାର ତୁମ ପ୍ରୀତିହାର
ରାତ୍ରୀର ଆଶ୍ଳେଷେ ଝୁମେ ।।
ହୃଦୟେ ସ୍ପନ୍ଦନ ନୟନେ ସପନ
ହୁଏ ସତତ ଅଧୀର
ମୋ ମନ ବନ୍ଧନ କରିଛ ଲଙ୍ଘନ
ତୁମେ ମୋର ମନ ଚୋର ।।
ତୁମ ସ୍ମିତହସ ନିଭୃତ ପରଶ
ଉଦ୍ବେଳିତ କରେ ପ୍ରାଣ
ଅବ୍ୟକ୍ତ ସେ ତୃପ୍ତି ନାହିଁ ଅଭିବ୍ୟକ୍ତି
ମନ୍ତ୍ରମୁଗ୍ଧ ଆକର୍ଷଣ ।।
ଅବୁଝା ଶ୍ରାବଣୀ ତୁମ ପ୍ରେମେ ରାଣୀ
ରକ୍ତଜବା ରଙ୍ଗ ମାଖି
ସପନ ବିଳାସେ ଅବିରତ ବର୍ଷେ
ପ୍ରିୟତମ ଚିତ୍ର ଦେଖି ।।
ପ୍ରୀତିରେ ବିଭୋର ଶବ୍ଦ ଗୁଚ୍ଛ ମୋର
ଅଳଙ୍କୃତ ତୁମ ନାମେ
ଅଦ୍ଭୁତ ଆବେଗ ସମର୍ପଣ ଭାବ
ପ୍ରବାହିତ ମର୍ମେ ମର୍ମେ ।।
କାହିଁ ଏ ଦୂରତ୍ୱ କରେ ବ୍ୟତିବ୍ୟସ୍ତ
ପ୍ରିୟର ସାନ୍ନିଧ୍ୟ ଆଶେ
ସ୍ୱପ୍ନ ଅସୁମାରି ବୁକୁ ଦିଏ ଚିରି
କାଳର କ୍ରୁରତା ଦଂଶେ ।।
ପ୍ରିୟତମ ଦୂରେ ହୃଦୟ ଗୁମୁରେ
ଲୁହ ତେଣୁ ଆପଣାର
ସ୍ମୃତିର ଆସର କରଇ ଚିତ୍କାର
ବିଧିର ଏ କି ବିଚାର ।।

