ଅଧୁରା ସପନ
ଅଧୁରା ସପନ
ଅଭୁଲା ଅତୀତ ଅଧୁରା ସପନ
ପାଉଁଶ ତଳର ସ୍ମୁତି
ଗାଉଥାଏ ମନ ଦୁଃଖର ଗଜଲ
ବେସୁରା ରାଗରେ ନିତି ।
ଅଡୁଆ ସୂତାର ବୁଢୀଆଣି ଜାଲେ
ଜୀବନଟା ଛନ୍ଦି ହେଲେ
ବେଳ ବୁଡିଯାଏ ଦିନ ସରେ ନାହିଁ
ଯେତେ ସପନ ଦେଖିଲେ ।
ଚିହ୍ନାବାଟ ସବୁ ହୁଅଇ ଅଚିହ୍ନା
ଅନ୍ଧାରର ଶିଉଳୀରେ
ଅଲୋଡା ଜୀବନ ଲୁହରେ ପହଁରେ
ମନବନ କୁହୁଡିରେ ।
ନୟନ ରୁ ଝରେ ଧାରା ଶିରାବଣ
ମମତା ସାତ ସପନ
ଦୁଃଖ ର ରଙ୍ଗଟା ଧୂସର ଲାଗଇ
ବହେ କୋହଲା ପବନ ।
ଦୂର ଦିଗ୍ ବଳୟ ଲାଗେ ସୀମାହିନ
ଛଳନାର କୁହୂକରେ
ବଦଳି ଯାଆଇ ନିଜ ସୀମାରେଖା
ଆତତାୟୀ ଆତଙ୍କରେ ।
ଉଜୁଡା ମନର ଭିଜା ଅନୁଭୂତି
ଅଲୋଡା ପଣକୁ ନେଇ
ପାଦ ତଳ ମାଟି ହୁଏ ଚୋରାବାଲି
ଯେମିତି ଉଛୁଳା ନଈ ।
ଭୁଲ୍ ଓ ଠିକ୍ ର ହିସାବକୁ ଖୋଜି
ଦିନ ସବୁ ଯାଏ ଫେରି
ଅଧାରେ ଅଧୁରା ସପନ ମୋ ରହେ
ଛିଡେ ସଂପର୍କ ର ଡୋରି ।
ବଦଳଇ ଋତୁ ରାତି ବି ବଦଳେ
ପାଗବି ବଦଳି ଯାଏ
ଅଦିନ ଝଡର ସନ୍ଦେହ ଇର୍ଷାରେ
ଜୀବନ କୁହୁଳୁ ଥାଏ ।
