ଅଧୁରା ସ୍ୱପ୍ନ
ଅଧୁରା ସ୍ୱପ୍ନ
କୃତ୍ରିମ ଉଦ୍ୟାନେ ପ୍ରଭାତ ଭ୍ରମଣ କ୍ଲାନ୍ତି ମେଣ୍ଟାଇବା ଆଶେ
ବସିଗଲି ମୁହିଁ ଘାସ ଗାଲିଚାରେ ଚାହୁଁଥିଲି ଚଉପାଶେ
ଅନତି ଦୂରରେ ଆସି
ଅଟକିଲେ ଜଣେ ତନ୍ଵୀ ତରୁଣୀ ଅପରୂପା ଶୋଭାରାଶି |(1)
ବୟସ ତିରିଶ ଚାଳିଶ ମଧ୍ୟରେ ଉଛୁଳୁଛି ଯଉବନ
କାମ ପସରା କି ଥୋଇ ଦେଇଗଲା ଭ୍ରମରେ ମୀନକେତନ
ଗୋଲାପୀ ଅଧରେ ହାସ
କୁନ୍ଦ ଦନ୍ତପନ୍ତି ଆହା କି ସୁନ୍ଦର ଘନକୃଷ୍ଣ କେଶପାଶ |(2)
ରୂପ ରାଇଜର ଅପରୂପା ପରୀ ସତେ ଅବା ବାଟ ଭୁଲି
ଚଳାଖଞ୍ଜନାକ୍ଷୀ ହେମ ଚମ୍ପାଗୋରୀ ଆସିଛି ଆରାମ ବୁଲି
ଅପଲକ ନେତ୍ରେ ଚାହିଁ
ଆପାଦମସ୍ତକ ରମ୍ୟ ଅବୟବ ସଉଷ୍ଠବେ ହେଲି ବାଇ |(3)
କଣେଇ କଣେଇ ଚାହୁଁଥିଲା ସିଏ ଅଳପ ଅଳପ ହସି
ଉଲ୍ଲସି ଉଠିଲା ତନୁ ମନ ମୋର ସପନରେ ଗଲି ଭାସି
ଏକାକୀ ରହିଛି ବାଳା
ପତି ଅବା ସାଥି ନାହାଁନ୍ତି ସାଙ୍ଗରେ ଖୋଲାଅଛି ଚିତ୍ରଶାଳା |(4)
ପେଟ ଅଣ୍ଟା ପିଠି ଦିଶେ ଅଧା ଫୁଟି ଚାରୁ ପୀନ ପୟୋଧର
ସୁନେଲି ଶାଢ଼ୀକୁ କାଳିଆ କାଞ୍ଚଲା କାମ କଳା ଗନ୍ତାଘର
ମଣେ କୋଟି ଭାଗ୍ୟଫଳ
ଏ ରୂପଲତାକୁ ମନେ ଆଙ୍କିବାକୁ ବ୍ୟଗ୍ରେ ହେଲି ଅଗ୍ରସର |(5)
ଅଧା ଦରଶନ ତୃପ୍ତ ନାହିଁ ମନ କାହିଁ ଚାଲିଗଲା ଖରେ
ଯେତିକି ଆଙ୍କିଛି ସେତିକି ରଖିଛି ଆଜି ମନ ଦର୍ପଣରେ
ଭାସେ ଆଶା ନଈ ଧାରେ
ବାର୍ତ୍ତାଳାପ ଟିକେ କରି ପାରିଲିନି ସ୍ୱପ୍ନ ରହିଲା ଅଧାରେ |(6)

