ଅଚିହ୍ନା ମଣିଷ
ଅଚିହ୍ନା ମଣିଷ
ଚିହ୍ନା ମଣିଷଟି ଅଚିହ୍ନା ଲାଗୁଛି
ଧପାବାଦ ଦୁନିଆଁରେ,
ଧନପତିଙ୍କୁ ତ ସମସ୍ତେ ଚିହ୍ନନ୍ତି
ଅଚିହ୍ନା ଗରିବ ଠାରେ ।
ରମଣୀ ଧମ୍ମିଲ ଆଜି ତ ମୁକୁଳା
ଅର୍ଦ୍ଧ ନଗ୍ନ ତା'ର ବେଶ,
ଆଧୁନିକତା ରେ ଚିହ୍ନା ପଡେ ନାହିଁ
ମୁଖରେ କୁଟିଳ ହସ ।
ଧନର ଗର୍ବରେ ଧନୀ ଆଜି ଅନ୍ଧ
ଚିହ୍ନେନି ଗରିବ ପେଟ,
ମଦ ଓ ମାଂସରେ ପ୍ରଲୋଭିତ ସର୍ବେ
ଧନ ପାଇଁ ଲାଗେ ନାଟ ।
ଅଚିହ୍ନା ମଣିଷ ଚିହ୍ନାଇଲେ ଗୁରୁ
କେତେ ଭକ୍ତି ପୂତ ଭାବେ,
ମଣିଷ ଭୁଲୁଛି ମଣିଷ ପଣିଆ
ବସିଣ ପାପର ନାବେ ।
ଅଚିହ୍ନା ମଣିଷ ସବୁବେଳେ ଆସି
ସବୁବେଳେ ଦିଏ ଧୋକା,
ଅଚିହ୍ନା ମଣିଷ ବେଳେବେଳେ ମିଳେ
ହୁଅଇ ଜୀବନ ସଖା ।
ପାର୍ଥକ୍ୟ ଏତିକି ଅଚିହ୍ନା ମଣିଷ
ଚିହ୍ନିବାକୁ କଷ୍ଟକର,
କିଏ ଧୋକା ଦିଏ କିଏ ସଖା ହୁଏ
ବିଚିତ୍ର ଏହି ସଂସାର ।
ମିଛର ପଛରେ ଗୋଡାଇ ମଣିଷ
ଧକେଇବା ହୁଏ ସାର,
ଅଚିହ୍ନା ମଣିଷ ଦେଖି ଏ ଅବସ୍ଥା
କଥାରେ ପକାଏ ସର ।
ଭୁଲି ଧର୍ମ କର୍ମ ଅଚିହ୍ନା ମଣିଷ
ବିପଥଗାମୀ ହୋଇଛି,
ମରଣ କାଳରେ ସ୍ଵାର୍ଥପର ହୋଇ
ମୃତ୍ୟୁ ବରଣ କରୁଛି ।
ଧର୍ଷିତ ଜୀବନ ନିର୍ଯାତିତ ହୁଏ
ଚିହ୍ନା ମଣିଷର ପାଶେ,
ଅଚିହ୍ନା ମଣିଷ ପରି ବ୍ୟବହାର
ଦେଖି ଚିହ୍ନା ଜନ ହସେ ।
ଧରାକୁ ଅଚିହ୍ନା ସରା ମନେ କରେ
ଧର୍ମ ଛଡ଼ା ମନ୍ତ୍ର ଦେଇ,
ଧର୍ମନନ୍ଦନ ସେ ବୋଲାଏ ଜଗତେ
ନିଜ ସ୍ବାଭିମାନ ନେଇ ।
ଧର୍ମାନ୍ତର ହୁଏ ଧର୍ମାନ୍ଧ ଭିତରେ
ଧର୍ମାରଣ୍ୟ ବୈଶ୍ୟା ବାସ,
ଧର୍ମ ଶାସ୍ତ୍ର କୁହେ, ଅଶ୍ଳୀଳ ସଙ୍ଗୀତେ
ଘାଣ୍ଟି ଦିଏ ଧର୍ମ ଦେଶ ।
ଧୂମିକା ଭିତରେ ଧ୍ବର୍ମ୍ର ରଙ୍ଗ ହୋଇ
ସେହି ଧୃତ ଲୁଚିଥାଏ,
ଧୂଳିଧ୍ଵଜ ଆସିବ ଧୂଳିସାତ ହେବ
ଧରାରେ ସଢିବ ସିଏ ।
ଅଚିହ୍ନା ମଣିଷ ଚିହ୍ନ ରହିବନି
ଜଳି ମଶାଣି ଭୂଇଁରେ,
ଅଚିହ୍ନା ମଣିଷ ସୁକର୍ମ ରହିବ
ଏହି ଧରା ପୃଷ୍ଠରେ ।
ଭଲ ଓ ମନ୍ଦର ଅଚିହ୍ନା ମଣିଷ
ପ୍ରକୃତି ତ ଭିନ୍ନ ଭିନ୍ନ,
ଜଣେ ଧର୍ମେ ଚାଲେ ଅଧର୍ମରେ ଜଣେ
କର୍ମ ଏକା ତା'ର ଚିହ୍ନ ।