ଅବ୍ୟକ୍ତ କୋହ
ଅବ୍ୟକ୍ତ କୋହ
କାହାକୁ କହିବି ମନ ତଳ ଦୁଃଖ
କିଏ ଶୁଣିବ ମୋ କଥା
ଭରି ରହିଅଛି ମନ ତଳେ ମୋର
କୋହ ଭରା ଯେଉଁ ବ୍ୟଥା ।
ନୀରବରେ କେବେ ବସିଗଲା ପରେ
ମନେ କୋହ ଭରିଯାଏ
ଯେତେ ରୋକିଲେ ବି ଅମାନିଆ ଲୁହ
ଆପେ ଆପେ ଝରିଯାଏ ।
କହି ପାରୁନାହିଁ ନାହିଁ ହୃଦୟ କଥାକୁ
ମନ ତଳେ ଚାପିଅଛି
ମନେ ତଳେ ରହି କୁହୁଳି କୁହୁଳି
ଦୁଃଖ ଯେ ବଢି ଯାଉଛି ।
କୁହୁଳି ସେ ଧୂଆଁ ନିଆଁ ଯେ ହେଲାଣି
ହୃଦୟକୁ ଜାଳୁଅଛି
ଦୁଃଖ ସବୁ ମୋର ଟୋପା ଟୋପା ହୋଇ
ଘିଅ ହୋଇ ପଡୁଅଛି ।
ଜଳିବାକୁ ଆଜି ପଡିବ ସିନା ଯେ
କହି ତ ପାରିବି ନାହିଁ
ଏ ନିଆଁ ରେ ପୋଡି ମରିଯିବି ପଛେ
କାହାକୁ କହିବି ନାହିଁ ।
ସ୍ମୃତି ସବୁ ଯେବେ ଆଖି ଆଗେ ଆସେ
ମନ ତ ଦୋହଲି ଯାଏ
ରକ୍ତ ସବୁ ମୋର ପାଣି ହୋଇ କରି
ଆଖି ବାଟେ ଚାଲିଯାଏ ।
ଭରିଯାଏ ଯେବେ ମନ ତଳେ କୋହ
ଯନ୍ତ୍ରଣା ତ ହେଉଥାଏ
ସହିଯାଏ ପଛେ ସବୁ ଯନ୍ତ୍ରଣା କୁ
କୋହ କୁ ଲୁଚାଇ ଦିଏ ।
ହସୁଥାଏ ମୁଁହି ସଭିଙ୍କ ଆଗରେ
କହେ ନାହିଁ ମନ କୋହ
ଏକା ଥିଲା ବେଳେ ସବୁ କୋହ ମୋର
ବହିଯାଏ ହୋଇ ଲୁହ ।
ଏମିତି ଯନ୍ତ୍ରଣା ମନେ ତଳେ ରଖି
ଜୀବନ ତ ଜିଉଅଛି
ଓଠରେ ଭରି ତ ମିଛ ହସ କୁ ମୁଁ
କୋହ ସାଥେ ବଞ୍ଚିଅଛି ।
କେବେ ଏ ଯନ୍ତ୍ରଣା ଯିବ ନାହିଁ ମନୁ
ସବୁବେଳେ ରହିଥିବ
ହୃଦୟକୁ ମୋର ତିଳ ତିଳ କରି
ଜାଳି ସିଏ ଦେଉଥିବ ।
ହେଲେ ମୁଁ କେବେବି କହିପାରିବିନି
ମନ ତଳେ ଥିବା କୋହ
କାନ୍ଦି କାନ୍ଦି ପଛେ ବଞ୍ଚି ରହିଥିବି
ଝରୁଥିବା ଯାଏଁ ଲୁହ ।
