ସ୍ୱପ୍ନ
ସ୍ୱପ୍ନ
ମୁଁ କଣ ଜାଣିଥିଲି !
ତୁମ ନିଷ୍ପତ୍ତିଟା ଯେ
ଆଖିଖୋଲା ଆଉ ବନ୍ଦରେ ହୁଏ ବୋଲି
ଆଖି ବନ୍ଦ୍ କଲେ ରଙ୍ଗୀନ୍
ଆଖି ଖୋଲିଲେ କଳା ଅନ୍ଧାର ।
ମୁଁ କଣ ଜାଣିଥିଲି !
ତୁମ ରଙ୍ଗଟା ଯେ
ଏଣ୍ଡୁଅ ପ୍ରକୃତିର ବୋଲି
ଧନୀ ଚଷମାରେ
ଭକ୍ତି ଚୋର ଗର୍ବର ନଜର
ଆଉ
ଗରିବ ଆଖିରେ ପ୍ରେମ ସ୍ନେହ ଲୁହ
ମୁଁ କଣ ଜାଣିଥିଲି !
ତୁମେ ସ୍ମୃତି ଭଳି ଭିଜା ମରୀଚିକା ବୋଲି
କେବେ ଅବାସ୍ତବ ଖାଲି କଳ୍ପନା ମାତ୍ର
ଆଉ କେବେ ପଥହରା ପ୍ରତୀକ ।
ମୁଁ କିନ୍ତୁ ଏହା ଜାଣେ
ତୁମେ ଧନୀକ ଘରେ ସର୍ବସ୍ୱ ସମର୍ପିତ
ଆଉ
ଗରିବ କୁଡ଼ିଆରେ ରାତିକ ପାଇଁ
ହଁ କେବଳ ମାତ୍ର ଝରା ଫୁଲ ହୋଇ ।
ହେଲେ ତଥାପି ମୁଁ
ସେ ଅବାସ୍ତବ ସ୍ୱପ୍ନ ଦେଖେ
ନିଦ୍ରାରେ ହେଉ ଅବା ଜାଗ୍ରତେ
ବାମନ ହୋଇ ବି ଚନ୍ଦ୍ରର ଆଶା ରଖି ।
