ନାଚେ ଝିଅ ନାଚେ
ନାଚେ ଝିଅ ନାଚେ
ଜୀବନ:
ଜୋର ପାଣି
ଗୋଚର ଦଳ
ଭାତ ଡାଲି ଆଳୁଚକଟା
ପିମ୍ପୁଳି ଦଣ୍ଡାର
କିଆ ଗୋହରି
ଶନିବାରିଆ ସ୍କୁଲ ଯିବା ବେଳେ
ଜୁଡୁବୁଡୁ ଓଦା
ଜନତା ସ୍କୁଲର କରମଙ୍ଗା ଗଛ
ରେଭେନ୍ସା ସୂର୍ଯ୍ୟ ଘଡି ପାଖେ
ଲଟକିଛି।
ନାଚୁଛି :
କଥକଲି
ଓଡିଶୀ
ବିହୁ,ଛଉ,ଘୁମୁରା,ଦାଣ୍ଡିଆ
ଭାରତ ନାଟ୍ୟମ
କେବେ ପୁଣି
ବେଲି,ସାଲସା, ଡିସ୍କୋ
ସେମାନେ କହିଲେ
ନାଚେ ଝିଅ ନାଚେ।
ସମୟ:
ଭୋର ପଞ୍ଚଟାରୁ
ରାତି ଅନିର୍ଦ୍ଦିଷ୍ଟ ଘଣ୍ଟା ଟଙ୍ଗ୍ଟାଙ୍ଗ୍
ଶୁଭିବାଯାଏ।
ମଞ୍ଚ:
ଘର
ରୋଷେଇ ଘର
ଠାକୁର ଘର
ପିଲାଙ୍କ ପଢା ଟେବୁଲ
ଡାଇନିଂ ଟେବୁଲ
ମୋ କ୍ଲାସ୍ ରୁମ୍
ବେଡ୍ ରୁମ୍
ଏବଂ ଡାଇରୀ ପୃଷ୍ଠା।
ଆରମ୍ଭ:
ଏନ୍ତୁଡ଼ି ଶାଳରୁ
କୋକେଇରେ ବୋହୁ ହେବା ପର୍ଯ୍ୟନ୍ତ।
