ଅବ୍ୟକ୍ତ ଅନୁଭୂତି
ଅବ୍ୟକ୍ତ ଅନୁଭୂତି
କେଉଁ କାଚର କାୟାରୁ ଖସି ଆସୁଥିବା
କ୍ଷୀଣକାୟୀ ରଙ୍ଗହୀନ ନୀର ପରି
ମନ୍ତ୍ରମୁଗ୍ଧ କରି ମୋତେ ମୋ ଆଗରୁ
ତୁମେ ଯାଅ ଯେବେ ଧୀରେ ଅପସରି।।
ଧରିନେବାର ଆବେଗ ଥମିଯାଏ
ଦେଖୁ ଦେଖୁ ତୁମ ଛନ୍ଦ ମନ୍ଦ ଗତି
ପ୍ରଶ୍ବାସ ପାଶୋରି ପାରେ ନିଃଶ୍ବାସକୁ
ଅଟକା ନିଃଶ୍ବାସେ ଛାତି ଯାଏ ଭରି।।
କାଳେ ଖସିଯିବ ପଲକ ତଳକୁ
ଆଖିପତା ତଳ ଲୋମ ବାଡ଼ ଦେଇ
ମୁଦି ହୋଇଯିବ କାଳେ ଆଖିପତା
ଟାଣି ଧରିଛି ଭ୍ରୁଲତା ଟାଣ କରି।।
କାୟା ଅପସରି ଗଲା ଆଖି ଆଗୁ
ଛାୟା ରହିଗଲା ଛାତି ଭିତରେ ମୋ
ମାୟା ମୋହର ବନ୍ଧନେ ବାନ୍ଧିଗଲ
ଯାଉ ଯାଉ ଚାହୁଁଥିଲ ଫେରି ଫେରି।।
ଆସ୍ଵାଦ ବିହୀନ ତୃପ୍ତି ଅନୁପମ
ପ୍ରୀତି ପାତ୍ର ପୟ ମୟ କରିଗଲ
ଶତ ଜନ୍ମର ଅୟୁତ ପିପାଷାକୁ
ଆଶା ରସେ ତୃଷା ଉପଶମ କରି।।
ପ୍ରେମ ନୁହେଁ ଖାଲି ଲଭିବାର ଲୋଭ
ଅନୁଭୂତି ଅଭିନବ ଭାବନା ବି
ଚାଲି ଯାଉ ଯାଉ ଯୋଡ଼ି ଯାଉଥିଲ
ପ୍ରାପ୍ତି ଅପ୍ରାପ୍ତିର ମଧ୍ୟେ ପ୍ରୀତି ଡୋରୀ।।

