ଅବୁଝା ମୋ ବରଷାରାଣୀ
ଅବୁଝା ମୋ ବରଷାରାଣୀ
ବରଷା ରାଣୀ'ଲୋ କାହିଁ ଏତେ ତୁହି ଅବୁଝା ଘୋର
କେ ଲଗାଇଛି କି ବଡବାଅନଳ ହୃଦରେ ତୋର ।
ନାଚୁଛୁ ନାଚୁଛୁ ନାଚିଚାଲିଛୁ ଯେ ନାଚିଚାଲିଛୁ
ଥମିବାର ଟିକେ ନାଁ ନେଉନାହୁଁ ମାତି ଚାଲିଛୁ ।
ଶପଥ ସତେ କି ମନରେ ନେଇଛୁ କରୁଛୁ ପୂରା
ଜନଜୀବନ ଯେ କେତେ ଅସ୍ତବ୍ୟସ୍ତ ବୁଝୁନୁ ପରା ।
ଚୁଲିଠାରୁ ଚାଲ ପୁରିଲାଣି ଜଳ ସୃଷ୍ଟି ଉଚ୍ଛନ୍ନ
ଦିନ ପ୍ରତେହୁଏ ରାତ୍ରିର ଭ୍ରମତା ଅନ୍ଧାରଘନ ।
ଖଟିଖିଆଠାରୁ ଧନୀକି ଗରିବ କି ହନ୍ତସନ୍ତ
ସବୁ ଯୋଗାଯୋଗ ହେଲାଣି ବିଛିନ୍ନ କାହିଁ ତୋ କୋପ ।
ନଦୀଠୁ ପୋଖରୀ ଫୁଲି ଲଙ୍ଘିଲାଣି କୂଳକିନାରା
ପାଟ ଦିଶିଲାଣି ହ୍ରଦ ପାଟରାଣୀ ଦରିଆ ପରା ।
ଅସରା ବରଷା ତୁହାକୁତୁହା ତୁ କାହିଁ ଛେଚୁଛୁ
ନିଷ୍ଠୁର ହେଇକି ମଣିଷର ସତେ ଦର୍ପ ଭାଙ୍ଗୁଛୁ ।
ଯେତେ ବାହୋସ୍ପଟ ମାରୁଛି ଏ ନର ବିଜ୍ଞାନ ପାଇଁ
ପ୍ରକୃତି ଆଗରେ ବାଟବଣା, ମୁଣ୍ଡ ଦିଏ ନୁଆଇଁ ।
ପ୍ରକୃତି ହାତରେ ମଣିଷର ସୁଖଦୁଃଖ ଜଡିତ
ନିଜର ଗୋଡ଼ରେ ନିଜର କୁରାଢ଼ୀ ପକାଏ ସେ ତ ।
ପ୍ରକୃତି ସାଥିରେ କରୁଛି ଶତ୍ରୁତା ବିରୋଧଭାବ
ଭସ୍ମାସୁର ପରି ନିଜର ବିନାଶ ନିଜେ କରିବ ।
ପ୍ରକୃତିକୁ ଦେଇ ସମ୍ମାନ ଶିଖୁ ଏ ମଣିଷ ଜାତି
ପ୍ରକୃତିକ୍ରୋଧ କରେ ପ୍ରଜ୍ବଳିତ ତା' ଖେଳ ଲାଗିଛି ।
କାଲିକୁ କିଏ ବା ଦେଖିଛି ଆଜି ତୁ ଦେଏ ବଞ୍ଚାଇ
ପଣବନ୍ଦୀ କରିଛୁ ମଣିଷ ସୁଖ, ଦେଏ ଫେରାଇ ।
ଦୈବୀ ଦୁ୍ବିପାକ ନାହିଁ କା' ଆୟତ୍ତ କିଏ ରୋକିବ
ପ୍ରଳୟଙ୍କାରୀ ତୋ ଅବପାତ ଦୁର୍ବିସହ ବହବ ।
ବର୍ଷଣମୁଖର ଏ ରଜନୀ ସତେ କି ଭୟାନକ
ଜାଗଇ ମନରେ ଅଜଣା ଆଶଙ୍କା ମନରେ କମ୍ପ ।
ବୁଝିଯା ଏଥର ମୋ ବରଷାରାଣୀ ଫେରିଯା ପୁରେ
ଢାଳନା ଆଉ ଗୋ ଅଳସୀ ଲଳନା ମେଘମାଳାରେ ।
ଜଳ ବିହୁନେ ସୃଷ୍ଟି ନାଶ ବି ଜଳ ବହୁଳେ ନାଶ
ଅତି ସବୁଥିରେ ଇତିଇସ୍ତାହାର ପ୍ରତକ୍ଷ୍ୟ ପାଶ ।
