ଆସିଛି ନୂଆ ବରଷ
ଆସିଛି ନୂଆ ବରଷ


କେତେ ଆଶା ନେଇ କେତେ ବାର୍ତ୍ତା ନେଇ
ଆସିଛି ନୂଆ ବରଷ,
ହସିବ ଧରଣୀ ଦୂର ହେବ ସବୁ
ରୋଗ,ଶୋକ, ଦୁଃଖ କ୍ଳେଶ ।
ଚଳିତ ବର୍ଷରେ ସହିଲୁଣି ଆମେ
ଅନେକ ଦୁଃଖ ଯାତନା ,
ହେ ନୂଆ ବରଷ ଦେବନାହିଁ ଆଉ
ସେଭଳି କଷ୍ଟ ତାଡ଼ନା ।
ତୁମ ଆଗମନ ଚାହିଁ ବସିଥିଲେ
ଲକ୍ଷ ଲକ୍ଷ ପ୍ରାଣୀ ରାଶି ,
କରୁଣା ଚିତ୍ତରେ ସବୁ ହସ ଖୁସି
ଦେବ ଯେ ତୁମେ ବରଷି ।
କେତେ ଭୋଜିଭାତ କେତେ ଯେ ସଂଗୀତ
ଆୟୋଜନ ତୁମ ପାଇଁ ,
ବିଫଳ ନ ହେଉ ଏସ
ବୁ ଯୋଜନା
ତୁମରି ପରଶ ପାଇ ।
କେତେ କେତେ ତୀର୍ଥ କେତେ ପୂଜାର୍ଚ୍ଚନା
କରିବୁ ତୁମେ ଆସିଲ,
ବରଷଟା ସାରା ଏହି ପୃଥିବୀରେ
କଟି ଯାଉ ଭଲ ଭଲ ।
ଜଗତର ନାଥ ପ୍ରଭୁ ଜଗନ୍ନାଥ
ସଭିଙ୍କୁ ସହାୟ ହୁଅ,
କ୍ରୋଧ,କାମ, ହିଂସା ଅହଙ୍କାର, ଇର୍ଷା
ଦୂରକୁ ଦୂରେଇ ଦିଅ ।
ନୂଆ ବରଷଟି ହର୍ଷ ଉଲ୍ଲାସରେ
ସର୍ବେ ପାଳନ କରିବା ,
ପୁରୁଣା ବର୍ଷକୁ ସ୍ମୃତିରେ ରଖିକି
ତାକୁ ଯେ ବିଦାୟ ଦେବା ।