ଅବୁଝା ମନ
ଅବୁଝା ମନ
ଅବୁଝା ଏ ମନ ଗତି ତାର ତୀବ୍ର
କ୍ଷଣେ ଉଡଇ ଯୋଜନ
ଲଗାମ ନ ଥିଲେ ମନେ ଆଣି ଦିଏ
କେତେ ଯେ ଦୁଃଖ ଦହନ ।
ଅବୁଝା ଏ ମନ କର୍ମ କର୍ତ୍ତବ୍ୟରେ
ଆଶା ଯେବେ ଯୋଡି ରଖେ
ଜୀବନେ ଭରଇ ଅସହ୍ୟ ଯନ୍ତ୍ରଣା
ତିଳ ତିଳ ହୋଇ ଜଳେ ।
ଅବୁଝା ମନଟା ଆମ ଗୀତା ଜ୍ଞାନ
ଜାଣି କରି ଗର୍ବ କରେ
ଜୀବନରେ ଯଦି ଅଭ୍ୟାସ ନ କରେ
କି ଲାଭ ହେବ ସେଥିରେ ।
ଅବୁଝ। ମନଟା ତୁଳନାର ଜାଲେ
ଯେବେ ଛନ୍ଦି ହୋଇ ଯାଏ
ଜ୍ୱାଳା ଯନ୍ତ୍ରଣାରେ ଜୀବନ ଭରଇ
କିଛି ବି ଲାଭ ନ ହୁଏ ।
ଅବୁଝା ଏ ମନ ସପନରେ ଭାସି
ବାସ୍ତବତା ଭୁଲିଯାଏ
ମାଟି କୁ ପାଶୋରି ନଭେ ଉଡୁ ଉଡୁ
ମାଟିରେ କଚାଡ଼ି ପଡ଼େ ।
ଅବୁଝା ଏ ମନ ଭଳି ଯାଏ ଯେବେ
ବାହାର ସୌନ୍ଦର୍ଯ୍ୟ ଦେଖି
ଆକର୍ଷଣକୁ ସେ ପ୍ରେମ ମନେ କରି
ଦେଦନା ଆଣଇ ଡାକି ।
ଅବୁଝା ମନରେ ଶବ୍ଦର ତରଙ୍ଗ
ଭଉଁରୀ ଯେ କାଟୁ ଥାଇ
ଲଗାମ ନଥିଲେ ଜୁଆର ଉଠଇ
ସବୁ ଧୋଇ ନେଉଥାଇ ।
ଅବୁଝା ଏ ମନ ବୁଝେ ନାହିଁ ଯେବେ
ସ୍ୱାଧୀନତା ପରିଭାଷା
ସ୍ଵେଚ୍ଛାଚାରୀତାର ବିଷ ଉଦ୍ଗାରଇ
ବାଣ୍ଟୁଥାଏ ବିଷ ଜ୍ଵାଳା ।
ଅବୁଝା ମନଟା ଭୁଲିଯାଏ ଯଦି
ମାନବିକ ମୂଲ୍ୟବୋଧ
ମଣିଷ ଜୀବନ ଅସଫଳ କରି
କରେ କେତେ ଅପରାଧ ।
ଅବୁଝା ମନଟା ସ୍ଵାର୍ଥରେ ପହଁରି
ଯଦି ଥଳ-କୂଳ ଲଙ୍ଘେ
ଶାନ୍ତି ବଦଳରେ ଅଶାନ୍ତିକୁ ଡାକେ
ଭାବନାର ବନ୍ଧ ଭାଙ୍ଗେ ।
ଅବୁଝା ମନଟା ସୁଖ ଖୋଜି ଖୋଜି
ମରୁବାଲି ପହଁରଇ
ସୁଖ ପରିଭାଷା ଆତ୍ମା ଠୁ ନ ଶୁଣେ
ଶେଷେ ଜୀବନ ହାରଇ ।
ଅବୁଝା ଏ ମନ ଗତି ତା ପ୍ରଖର
ଅସରନ୍ତି ଜାଲ ବୁଣେ
ସେ ଜାଲରେ ମନ ଯଦି ବାନ୍ଧି ହୁଏ
ଜୀବନ କ୍ଷିନ୍ ଭିନ୍ ହୁଏ ।
ଅବୁଝା ମନ ର ଲଗାମ କୁ ଯଦି
ନ ରଖିବା ଆମେ ହାତେ
ମନ ବୁଲୁ ଥିବ ଦିଗ୍ ଭ୍ରାନ୍ତ ହୋଇ ଯେ
ପଥ ନ ପାଇବା କେବେ ।
ଅବୁଝା ମନର ଭାବନା ସ୍ରୋତରେ
ବିବେକ ବନ୍ଧ ବାନ୍ଧିବା
ଅବୁଝା ମନକୁ ସୁଭାବନା ସୂତ୍ରେ
ବନ୍ଧିତ ଯେ କରିଦେବା ।
ଅବୁଝା ମନ ର ଶଦ୍ଦ ଭଉଁରୀରେ
ଆତ୍ମିକ ସତ୍ତା ଯୋଡିବା
ଅବୁଝା ମନରୁ ଝରୁ ଥିବ ସଦା
ଅମୃତର ବାରିଧାରା ।
ଅବୁଝା ମନକୁ ବୁଝାଇବା ଚାଲ
ଶାନ୍ତି ବାହାରେ ମିଳେନି
ନିଜ ମନରେ ତ ଶାନ୍ତିର ଉଆସ
ଦେଖିବା ମନ ପୁରାଇ ।
ଅବୁଝା ମନକୁ ବୁଝାଇ ଦେବା ଯେ
ଆତ୍ମସନ୍ତୋଷ ର ଗାଥା
ଆତ୍ମାର ଡାକ ରେ ବିବେକ ସ୍ପର୍ଶରେ
ମନକୁ ବାନ୍ଧି ରଖିବା ।
