ଅବୁଝା ମନ
ଅବୁଝା ମନ
ଇନ୍ଦ୍ରିୟ ରାଜନ ମନକୁ କହନ୍ତି
ଦୁଇ ପ୍ରକାର ଏ ମନ ।
ସବୁରି ଭିତରେ ନିବାସ କରିଛି
କୁମନ ଆଉ ସୁମନ ।୧।
ନ ବୁଝିବା ମନ ଅବୁଝା ହୁଅଇ
ତାକୁ କହନ୍ତି କୁମନ ।
ନିଜେ ହିଁ ନିଜର ବାଧକ ଘାତକ
ହୁଅଇ ଅବୁଝା ମନ । ୨।
ଦଣ୍ଡେ କି ଘଡିଏ ହୁଏ ନାହିଁ ସ୍ଥିର
ଏଡିକି ଅବୁଝା ମନ ।
ଯେଣେ ଇଚ୍ଛା ତେଣେ ଦଉଡି ପଳାଏ
ସଦା ହୁଏ ଛନ ଛନ ।୩।
ଶୀଘ୍ରଗାମୀ ଘୋଡା ଏ ମନ ଆମର
କେତେ ସଂକଳ୍ପ ବିକଳ୍ପ ।
କରେ ବାରମ୍ବାର ବୈରାଗ୍ୟ ଲଗାମ
ହରେ ତା ଉନ୍ମତ୍ତ ରୂପ ।୪।
ବିଷୟ ଆସକ୍ତି ଅବୁଝା ମନକୁ
କରେ ସଦା ଅସ୍ତବ୍ୟସ୍ତ ।
ଦୁଇଟି ଅସ୍ତ୍ରର ପ୍ରହାର ହୋଇଲେ
ସେ ମନ ହୁଏ ଆଶ୍ୱସ୍ତ ।୫।
ଅବୁଝା ମନକୁ ଯାହା ଭଲ ଲାଗେ
କରୁଥାଏ ସିଏ ତାହା ।
ବୈରାଗ୍ୟ ଅଭ୍ୟାସ ହରିଚିନ୍ତନରେ
ପାଏ ସେ ନୂତନ ରାହା ।୬।
ବିଷୟ ବିକାରୁଁ ଦୂର ହୋଇ ଦୃଢ
ବୈରାଗ୍ୟରେ ହେଲେ ରତ ।
ପରମାର୍ଥ ଲଭି ହରିଭଜନରେ
ହୋଇବ ସେ ସମାଧିସ୍ଥ ।୭।
ଦାସୀ କରିଦେବ ଚାରିମୁକତିଙ୍କୁ
ଯୁକ୍ତ ହୋଇ ପରମାର୍ଥେ ।
ବଶୀଭୂତ ହୋଇ ବ୍ରହ୍ମେ ଭେଟାଇବ
ବିଚାରି ଘେନ ତା ଚିତ୍ତେ ।୮।