STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଆଉ ଫେରେନା

ଆଉ ଫେରେନା

1 min
326

ନଈପାଣି ଗଡିଗଲେ ଉଜାଣି ବହେନା

ଯଉବନ ଥରେଗଲେ ଆଉ ଫେରେନା।


ପୁଷ୍ପ ଫୁଟେ ଝଡେ ଆସେ ନୂତନ କଢି

ପୂର୍ଣ୍ଣିମା ଶଶୀ ବୁଡିଲେ ଆସେ ବାହୁଡି।

ବରଷକେ ଋତୁଫେରେ ସମୟ ହେଲେ

ଅପେକ୍ଷାରେ ଧରଣୀ ତା ପାଦ ପଖାଳେ।

ମାତ୍ର ଆଉ ଫେରେ ନାହିଁ ଯଉବନ ଗୋ

ଗୋପକୁ ବାହୁଡେ ନାହିଁ ଶ୍ୟାମଘନ ଗୋ।


ନ ଫେରେ ଯୌବନ ଦୀପ୍ତ ଚୋରା ଚାହାଣୀ

ଗୋପନରେ ରହିଥାଏ ମନ କାହାଣୀ।

ପ୍ରଥମ ପ୍ରଣୟ ସେଇ ଗୋଲାପି ଲାଜ

ବିରହୀ ପ୍ରାଣରେ ଥାଏ ସେ ସଜସଜ।

ସୁଖର ବେଦନା ଆଉ ନୀରବ ପ୍ରୀତି

ଫେରିବନି କେବେ ସେଇ ଅଭୁଲା ସ୍ମୃତି।


କପୋଳ ଅଳକା ତାର ଆଖି ଆଇନା

ହାହାକାର ହୃଦ ଦୁଃଖ ସହିହୁଏନା।

ଜୀବନଟା ଛୋଟ ବୋଲି ଦୁଃଖ ନାହିଁ ତ

ଯୌବନର ବିନା ବିତ ସୁଖ ନାହିଁ ତ ।

ଚୁମ୍ବନ ଉଷୁମ ଦାଗ ଲିଭିବା ଆଗୁ

ସିନ୍ଦୂର ଦାଗ ମୋ ଦେହୁ ଝଡିବା ଆଗୁ।

ବାସି ହେବା ଆଗୁ ପ୍ରେମ ହେଉ ମରଣ

ଯଉବନ ସାଥେ ଯାଉ ମୋର ଜୀବନ।


ଜରା ଚୋର ସାଥେ ଆସୁ ମରଣ ଚୋର

ସହିପାରିବିନି ଦୁଃଖ ହୋଇ ବିଧୁର।

ଫୁଲ ଝଡେ ପୁଣି ଫୁଟେ କାନ୍ଦେନା ଗଛ

ଦିନ ପରେ ରାତ୍ରୀ ଆସେ ପଛକୁ ପଛ।

ମଧୁଋତୁ ଯାଏ ପୁଣି ବାହୁଡି ଆଏ

ଅବନୀ ଦୁଃଖିତ ହେବ କାହା ବିରହେ?


ଲୁଚକାଳି ଖେଳେ ଭବେ ସବୁ ସୁଷମା

ଆକାଶରେ ଉଦେ କେବେ ସୂର୍ଯ୍ୟ ଚନ୍ଦ୍ରମା।

ଜଗତେ ହଜେନା କିଛି ହଜେ ଜୀବନେ

ବିରହୀ ଜାଣେ ଯାତନା ପ୍ରିୟାର ବିନେ।

ବୃଥା ବିଧୁର ପରାଣ ଲାଗେ କାନ୍ଦଣା

ଯଉବନ ଥରେଗଲେ ଆଉ ଫେରେନା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational