ମମତାମୟୀ ମାଆ
ମମତାମୟୀ ମାଆ
ମମତାମୟୀ ସେ ସାଗରଠୁ ବଡ଼
ଗମ୍ଭୀର ଆକାଶ ପରି,
ସ୍ରଷ୍ଟା ସେ ସୃଷ୍ଟିର ସତ୍ୟ ଚିରନ୍ତନୀ
ଅମାପ ଶକତି ଧାରୀ |
କେତେବେଳେ ପତ୍ନୀ କେତେବେଳେ ଭଗ୍ନୀ
କେବେ ସନ୍ତାନର ମାଆ,
କେଉଁ ଉପାଦାନେ ଗଢ଼ା ସେ ହୋଇଛି
ହେବାକୁ ସଂସାରେ ସାହା |
ଧନ ଦଉଲତେ ଖୁସି ହୁଏ ନାହିଁ
ଖୁସି ହୁଏ ଶିଶୁ ହସେ,
ଓଠରୁ ସତେ କି ସ୍ୱର୍ଗର ଅମୃତ
ଅବାରିତେ ଝରି ଆସେ |
କଅଁଳ ଶିଶୁର କ୍ରନ୍ଦନର ଭାଷା
ବୁଝେ ସେ ନୀରବେ ଚାହିଁ,
ତୋଳିନେଲେ ତାକୁ ନିରଵୀ ଯାଏ ସେ
ମାଆର ପରଶ ପାଇ |
ଆଖିରେ ତାହାର ଅନନ୍ତ ଯୁଗର
ସେନେହ ସଞ୍ଚିତ ସତେ,
ସନ୍ତାନ ପାଇଁ ଯେ ଭରା ଶ୍ରାବଣର
ଅସରା ମମତା ବର୍ଷେ |
ସନ୍ତାନ ଦୁଃଖରେ ଦୁଃଖୀ ହୁଏ ସଦା
ସୁଖେ ତାର ଖୁସି ହୁଏ,
ଜୀବନେ କେବେ ବି କୁଣ୍ଠିତ ହୁଏନି
ସର୍ବସ୍ୱ ତା ତୋଳିଦିଏ |
ନିଜ ରକ୍ତ ମାଂସେ ଗଢେ ସେ ଯାହାକୁ
ଜୀବନ୍ତ କଣ୍ଢେଇ କରି,
ସବୁ କଷ୍ଟ ସହେ ତା ପାଇଁ ସମଗ୍ର
ଜୀବନଟା ଯାଏ ସରି |
ଜନନୀ ହୋଇ ସେ ଜନ୍ମ ଦେଇଥାଏ
ମାଆ ହୋଇ ପାଳିଥାଏ,
ସନ୍ତାନ ପାଇଁ ସେ ଜୀବନଟା ସାରା
ମମତା ବୁହାଇ ଥାଏ |
