ମାଆ ମୋର ସ୍ନେହମୟୀ
ମାଆ ମୋର ସ୍ନେହମୟୀ
ମୁଖ ଯା'ର ଚାହିଁ ଦେଲେ କଷ୍ଟ ହୁଏ ଦୂର
ମାଆ ମୋର ସ୍ନେହମୟୀ ଅତି ଆପଣାର
ତା' ଗର୍ଭରେ ଶୋଇ ରହି ଦେଖିଲି ସପନ
ବିଶାଳ ସାଗର ବକ୍ଷେ କରୁଛି ଭ୍ରମଣ
ସପନ ଭାଙ୍ଗିଲା ଯେବେ ଆଲୋକ ପରଶେ
ମାଆ ମୋର କ୍ଳେଶ ଭୁଲି ଚାହିଁଲା ହରସେ
ତା ପାଇଁ ମୁଁ ସତେ ଅବା ସୁବର୍ଣ୍ଣ ଭଣ୍ଡାର
ମାଆ ମୋର ସ୍ନେହମୟୀ ଅତି ଆପଣାର ll
ତା'ର ସେଵା ତ୍ୟାଗ ବଳେ ଶଶିକଳା ଭଳି ବଢ଼ିଲି ମୁଁ ଧୀରେ ଧୀରେ ତା ପଣତ ଧରି
ଆପଣାକୁ କଷ୍ଟ ଦେଇ ସବୁ ଦୁଃଖ ସହି
ଦୁନିଆ ଦାଣ୍ଡରେ ମୋତେ ଛିଡାକଲା ନେଇ
ସୃଷ୍ଟି ହେଲା ସଂସାରରେ ପରିଚୟ ମୋର
ମାଆ ମୋର ସ୍ନେହମୟୀ ଅତି ଆପଣାର ll
ମୋ ଦୁଃଖ ଯନ୍ତ୍ରଣା ସେତ ପାରେନାହିଁଦେଖି
ତାହାରି ଆଶିଷ ବଳେ ହେଲି ମୁହିଁ ସୁଖୀ
ବାର୍ଦ୍ଧକ୍ୟେ ତା' ଶିଶୁ ଭଳି କରିବି ମୁଁ ସେଵା
ତା' ଋଣ ଜୀବନେ କେହି ଶୁଝିପାରେ କିବା
ପଣତ ତା' ସଂସାରରେ ସବୁଠୁ ମଧୁର
ମାଆ ମୋର ସ୍ନେହମୟୀ ଅତି ଆପଣାର ll
ଦୁଃଖ ଦେଇ ତାକୁ ଯିଏ ବଢ଼ଇ ଆଗକୁ
ଜଗତେ ଅଧମ ଆଉ କହିବା କାହାକୁ
ସାକ୍ଷାତ ଈଶ୍ୱର ସେତ ଜୀବନ୍ତ ପ୍ରତିମା
ତା' ସେବାରେ ହେଳାକଲେ ମିଳିବନି କ୍ଷମା
ପ୍ରଣମୁଛି କରଯୋଡ଼ି ପାଦପଦ୍ମେ ତା'ର
ମାଆ ମୋର ସ୍ନେହମୟୀ ଅତି ଆପଣାର ll