ବିଧିର ବିଧାନ
ବିଧିର ବିଧାନ
ଆସିବା ଯିବାଟା ଦୁନିଆର ରୀତି
ହେବ ନାହିଁ କେବେ ଆନ,
ହାଟ ସରିଗଲେ ବାଟ ଧରି ଯିବା
ଏହାହିଁ ବିଧି ବିଧାନ ।
ଏତେ ରାଗ ରୋଷ କରନାହିଁ ବନ୍ଧୁ
ଦୁଇ ଦିନର କୁଣିଆ,
ଦୁଃଖ ନେଇ ସୁଖ ବାଣ୍ଟି ଦେଇଥିଲେ
(ବଞ୍ଚି )ଥିବ ମଣିଷ ପଣିଆ ।
ଏନ୍ତୁଡ଼ି ଶାଳରୁ ମଶାଣିର ନିଆଁ
ମଝିରେ ଖେଳେ ଜୀବନ,
ଦେବା ନେବା ଏଠି ହିସାବ ହୁଅଇ
ସେଠାରେ ହୁଏ କରମ ।
ରାଜା ହୁଅ ଅବା ଫକୀରଟେ ହୁଅ
ସବୁ ଫେରିବା ଯେ ଦିନେ,
ଖାଲି ହାତେ ଆସି ଖାଲି ହାତେ ଆମେ
ଶେଷେ ଫେରିବା ଶ୍ମଶାନେ ।
ଛଅ ଖଣ୍ଡ କାଠ ପାଳଦୌଡ଼ି ଲୋଡ଼ା
ଚାରି କାନ୍ଧେ ଯିବା ପାଇଁ,
ସମାଧି ଦେବାକୁ ଲୋଡ଼ା ମାତ୍ର ହୁଏ
ସାଢ଼େ ତିନି ହାତ ଭୂଇଁ ।
ରାମ ନାମ ସତ୍ୟ ହରି ନାମ ସତ୍ୟ
ଶେଷ ଗୀତ ଶୁଣୁଥିବା,
ଏକା ଆସିଥିଲେ ଯିବା ବେଳେ ମଧ୍ୟ
ଏକା ଏକା ଫେରି ଯିବା ।।