ଆଜିର ଶ୍ରବଣ
ଆଜିର ଶ୍ରବଣ
ପୁରାଣର ଯେତେ ମହନୀୟ ଗାଥା
ଲାଗେନାହିଁ ସତ ପରି,
ମନଗଢା କିଛି କାହାଣୀ କି ଆଉ
ଗଲାଣି ତା ପୃଷ୍ଠା ଚିରି |
ସେ ଦିନର ସେହି ବାଳୁତ ଶ୍ରବଣ
ଅନ୍ଧ ପିତାମାତା ବୋହି,
ନେଉଥିଲା ତାଙ୍କୁ ତୀର୍ଥ କରିବାକୁ
କର୍ତ୍ତବ୍ୟ ନିଷ୍ଠତା ନେଇ |
ଶ୍ରବଣ ପାଇଁ ଯେ ତାର ପିତା ମାତା
ଥିଲେ ଜୀବନ୍ତ ଠାକୁର,
ତାଙ୍କରି ସେବାକୁ ବରିଥିଲା ସିଏ
ଶ୍ରେଷ୍ଠ କର୍ମ ଜୀବନର |
ଆଜିର ସନ୍ତାନ ବଡ ହେଲାପରେ
ନିଜେ ବୁଝେ ନିଜ କଥା,
ବୃଦ୍ଧ ପିତାମାତା ସତେ ବୋଝ ପରି
ଦିଅନ୍ତି ବହୁତ ବ୍ୟଥା |
କିଏ ଛାଡିଲାଣି ବୃଦ୍ଧାଶ୍ରମେ ନେଇ
ବିବେକକୁ ହତ୍ୟା କରି,
କିଏ ଦିଏନାହିଁ ଜାଣିଶୁଣି ନିତି
ଖାଇବାକୁ ପେଟଭରି |
ପିଲା ଥିଲା ବେଳେ ସବୁ ଅର୍ଦ୍ଦଳୀକୁ
ପିତାମାତା ଯେ ବୁଝନ୍ତି,
ସନ୍ତାନ ପାଇଁ ଯେ ସବୁ ଦୁଃଖକୁ ସେ
ହସି ହସି ଭୋଗିଥାନ୍ତି |
ସବୁ ଆଶୀର୍ବାଦ ଅଜାଡି ଥାଆନ୍ତି
ସନ୍ତାନର ସୁଖପାଇଁ,
ବୃଦ୍ଧାବସ୍ଥା ପରେ ତାଙ୍କରି ବେଦନା
ସନ୍ତାନ ତ ବୁଝେନାହିଁ |
ଏମିତି ସମାଜ ପାଇଁ ଶିକ୍ଷା ଦାୟୀ
ସଂସ୍କୃତି ଗଲାଣି ହଜି,
ମଣିଷ ପଣିଆ ନାହିଁ ଯେଉଁଠାରେ
ସେ ସମାଜ ଯାଉ ଭାଜି |
