ଭାବନା
ଭାବନା
ଯେତେ ବୁଝାଏ ମୁଁ ଅବୁଝା ତୁ ହେଉ
ମିଥ୍ୟା ଅହଂକାରେ ଯାଉଛୁ ଫାଟି ,
ଜଣା ନାହିଁ କେଉଁ ନିଶ୍ଵାସରେ ଶେଷ
ହେବ ତୋ'ର ପ୍ରାଣ ପଡିବୁ ଲୋଟି ।
ଚନ୍ଦନ ଯାତରା ସରିଲାଣି ମନ
ଭାବନାରେ ଖେଳୁ ଚକା ଭଉଁରୀ,
ଚାନ୍ଦିନୀର ଚାରି ରାତି ଗଲା ବିତି
କାଳ ରାତ୍ରି ଦେଖ ଆସଇ ମାଡ଼ି ।
ଘନ ଘନ ଶୁଭେ ଯମର ଡାକରା
ଜାଣି ଶୁଣି ତୁହି ହେଉ ଅଜଣା ,
ଜରାର ଯନ୍ତ୍ରଣା ବଢେ ବେଳୁଁବେଳ
ତଥାପି ତୁ ବାଟ ହେଉଛୁ ବଣା ।
ଶିଥିଳ ହେଲେଣି ପଂଚଇନ୍ଦ୍ରୀ ତୋର
ବାତ ପିତ୍ତ କଫ ବଢ଼େ ପ୍ରବଳ ,
ଅଣଚାଷ ବାଆ ବହିଲେ ଉଜାଣି
ପ୍ରାଣପକ୍ଷୀ ଛାଡି ଯିବ ଶରୀର ।
ଆପଣାର ବୋଲି ଯା'ଲାଗି ସେନେହେ
ଯୋଗାଡୁ ଯତନେ ଧନ ଦରବ ,
କ୍ଷଣେ ସାତପର କରିବେ ସକଳ
ଭାଗିଂଯିବ ତୋର ଗେଲ ଗରବ ।
ମଲା ମଲା ବୋଲି କାନ୍ଦିବେ ଘଡିଏ
ଆପଣାର ସୁଖ ସ୍ବାର୍ଥ ମୋହରେ,
ମଢ଼ା ଘରୁ କାଢ଼ ବିଳମ୍ବ ନ'କର
ମାଲ ଭାଇ ନେଇ ଚାଲ ସତ୍ବରେ ।
ସମାଜ ସମ୍ବନ୍ଧୀ ହୋଇ ଏକମେଳ
ମଢ଼ ସଂସ୍କାରରୁ ନିବୃତ୍ତ ହେବେ,
ମଢ଼ ସ୍ପର୍ଷ ହେତୁ ଅଶୌଚ ଶରୀର
ଗଙ୍ଗୋଦକ ପାନେ ଶୁଦ୍ଧ କରିବେ ।
ସଂସାର ନିୟମ ଜନମ ମରଣ
ମରଣକୁ କିଏ ପାରିଛି ଜିଣି,
ଅକର୍ମରେ ଲିପ୍ତ ନ'ହୁଅ ରେ ଭାଇ
ମରଣଶୀଳ ଏ' ଜୀବନ ଜାଣି ।
ଏଣୁ ବେଳ ଥାଉ କର ସତକର୍ମ
ତେଜି ଅହଂକାର ଇର୍ଷା ଲାଳସା ,
ଦୁଃଖୀ ଲୁହ ପୋଛି ଓଠେ ଦେଇ ହସ
କରମ ବଚନେ ଜଗତ ହସା।