ନାରୀ
ନାରୀ
ନାରୀ ନୁହେଁ ଖେଳର ଖେଳଣା
ମାତା ଦୁହିତା ଭଗିନୀ ପତ୍ନୀ ରୂପତାର।
ମାତୃ ଶକ୍ତୀ ଆଦିରୂପା ସଭିଙ୍କୁ ଏ ଜଣା l
ବାତ୍ସଲ୍ୟ ମମତା ଭରା ନିବିଡ ଜଠରେ,
ମମତା ଆଶକ୍ତି ହୃଦେ ପାଳେ ସଜାଗରେ ।
ଅସହ୍ୟ ଯନ୍ତ୍ରଣା ସହି ଦିଅଇ ଜନମ,
ଜନ୍ମଦାୟିନୀ ସ୍ରଷ୍ଠା ର ଜୀବନ୍ତ ପ୍ରତିମ ।
ଭଗିନୀ ରୁପେ ଜୀବନେ ସେନେହ ବଢାଇ
ରାକ୍ଷୀର ରେଶମୀ ଡୋରେ ପ୍ରେମ ରେ ବାନ୍ଧଇ ।
ଶାଶୁଘର ଯାଏ ବାପ ଘର ମୋହ ଛାଡି,
ଭାଇ କାନ୍ଧେ ମଥା ରଖି କାନ୍ଦେ ରଡି ଛାଡି ।
ନବ କିଶୋରୀ ଜୀବନେ କରଇ କଳ୍ପନା
ସୁନ୍ଦର ଘର ସଂସାର ପତି ସୋହାଗନା।
ବେଦ ବ୍ରାହ୍ମଣ ଅଗ୍ନୀକୁ ସାକ୍ଷୀ କରି ବରି,
ପତ୍ନୀ ରୁପେ ଜୀବନରେ ଆଣିଛେ ଆଦରି ।
କନ୍ୟା ରୂପ ନେଇ ଜନମଇ ଯେବେ କୋଳେ,
ଲକ୍ଷ୍ମୀ ପ୍ରତିମା ର ପ୍ରାୟ ପାଳ ଅଲିଅଳେ ।
ଅଲିଅଳି କନ୍ୟା ଭଗ୍ନୀ ପତ୍ନୀ ରୂପ ନିଏ ,
ମତୃତ୍ୱ ଲଭଇ ଯେବେ ମା’ ସେ ବୋଲାଏ ।
ସହିବାର ଗୁଣ ତାର ଧରତୀ ସମାନ,
ତ୍ୟାଗ ଗୁଣେ ମହାଯୋଗୀ ନୋହିବେ ସମାନ
ତପସ୍ୟା ତା ସଂସାରର ମଙ୍ଗଳ କାମନା
ତପସ୍ୱୀନୀ ପଣେ ସମ ନହୋଇବେ ଉମା ।
ଜୀବନେ ତା ଅଭିଯୋଗ ଆପତ୍ତି ନଥାଏ,
ଖଣ୍ଡେ ପିନ୍ଧି ଗଣ୍ଡେ ଖାଇ ସେବାରେ ସେ ଥାଏ।
ସେହି ଆଦି ଶକ୍ତୀ ଉମା ରମା ସରସ୍ୱତୀ,
ସର୍ବ ଗୁଣ ସମ୍ପର୍ଣ୍ଣା ସେ ପ୍ରେମର ମୂରତ୍ତି ।
କାମ ଧେନୂ ରୂପେ କରେ ଅଭୀଷ୍ଟର ସେବା,
ସୁଦାସୀ ସୁମିତ୍ର ମନ୍ତ୍ରୀ ପତି ଶେଯେ ରମ୍ଭା।
ଭୋଜନରେ ମାତା ସ୍ନେହେ ଭଗିନୀ ସମାନ,
ସୀତା ସମ ପତିବ୍ରତା ସଂସାରେ ମହାନ ।
ଦୁଷିତ ହୋଇଛି ଆଜି ମାନବ ସଭ୍ୟତା,
ଅବଲୁପ୍ତ ହେଲେ ସମାଜରେ ପତିବ୍ରତା।
ସମାଜର ଠିକାଦାର ହେଲେ ବ୍ୟଭିଚାରୀ,
ତଥାପି ସମାଜେ ସଦା ମହନୀୟା ନାରୀ ।
ଗଣ ଧରଷଣର କେ ହେଉଛି ଶୀକାର,
ଅଭାବ ମେଣ୍ଟାଇବାକୁ ଦେହ ବିକେ କାର।
ପାଶ୍ଚାତ୍ୟ ସଭ୍ୟତା ଅନୁସରିତ ପୁରୁଷ।
ମଦ୍ୟପୀ ଆସକ୍ତେ ବହୁ ନାରୀ ସହବାସ ।
ସମୟ ସ୍ରୋତ ରେ ପରିବର୍ତ୍ତିତ ସଭ୍ୟତା,
ଆଧୁନୀକତା ବଶ ରେ ନାରୀ ବିବଶତା ।
ଉଶୃଙ୍ଖଳ ଯୁବତୀର ବିଶୃଙ୍ଖଳ ବେଶ,
ବିଲୋକନେ ଶାଳୀନତା ହରାଏ ପୁରୁଷ ।
ଦୋଷାରୋପ ପ୍ରତ୍ୟାରୋପ କରିବା କାହାରେ,
ଅନୁଶାସିତ ସମାଜ ହେବ କି ପ୍ରକାରେ।
ପୁରୁଷକୁ ନାରୀ ସଦା ଦେଇ ଥାଏ ଶିକ୍ଷା,
ସେହି ଶିକ୍ଷା ହିଁ କରିବ ନାରୀ ପ୍ରତିରକ୍ଷା ।
